ଭୁବନେଶ୍ୱର,୧୩।୫(ତ୍ରିନାଥ ମହାନ୍ତି):ଯୁବତୀଙ୍କୁ ଅସଦାଚରଣ ଓ ବଳାତ୍କାର ଉଦ୍ୟମ କରିଥିବା ଜିଆର୍ପି କନ୍ଷ୍ଟେବଲ୍ ସୌମ୍ୟରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲାରେ କ୍ରାଇମ୍ବ୍ରାଞ୍ଚର ତଦନ୍ତକୁ ୩ଦିନ ପୂରିଲାଣି। ରବିବାର ରାତିରେ ଉପରଠାଉରିଆ ଭାବେ ଜଣେ ପୀଡ଼ିତାଙ୍କ ବୟାନ ନିଆଯାଇଥିବାବେଳେ ଅନ୍ୟଜଣେ ପୀଡ଼ିତାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଏପର୍ଯ୍ୟନ୍ତ ପଚରାଉଚରା କରିପାରି ନାହିଁ। କ୍ରାଇମ୍ବ୍ରାଞ୍ଚ ସୌମ୍ୟ ମାମଲାରେ ସତ କ’ଣ ପଦାକୁ ଆଣିବାକୁ ଚାହୁଁନି। କେବଳ ତଦନ୍ତ ନାମରେ ଦିନ ଗଡ଼ାଉଛି ବୋଲି ପୀଡ଼ିତାଙ୍କ ପରିବାର ଅଭିଯୋଗ କରିଛନ୍ତି। ଏନେଇ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି , ଆମର ଏକ ଟିମ୍ ସବୁ ଦିଗକୁ ନେଇ ତଦନ୍ତ କରୁଛନ୍ତି। ଆମକୁ ଯେଉଁ ତଥ୍ୟ ମିଳିଛି ସେଇ ଆଧାରରେ ଡିଜିପିଙ୍କୁ ତଦନ୍ତ ରିପୋର୍ଟ ଜଣାଇ ଦିଆଯାଉଛି। ତଦନ୍ତରେ କିଛି ତ୍ରୁଟି ଥିଲେ ଆମେ ଏହାକୁ ସୁଧାରିବାକୁ ବ୍ୟବସ୍ଥା କରୁଛୁ।
ଅନ୍ୟପଟରେ ଫୋରେନ୍ସିକ ରିପୋର୍ଟରେ ଏକ ଭିନ୍ନ ତଥ୍ୟ ପଦାକୁ ଆସିଛି। ସୌମ୍ୟ ଘଟଣାଦିନ ବାଲିଅନ୍ତା ରାମଚନ୍ଦ୍ରପୁରକୁ ଯିବାପୂର୍ବରୁ ଜିମ୍ରେ ଶକ୍ତିବର୍ଦ୍ଧକ ଷ୍ଟେରଏଡକୁ ଅଧିକ ମାତ୍ରାରେ ନେଇଥିଲେ। ସାଧାରଣତଃ ଜିମ୍ କରୁଥିବା ବଡି ବିଲ୍ଡର ସିଙ୍ଗ୍ଲ୍ ଡୋଜ୍ ଅଥାତ୍ ୧୦ଏମ୍ଏଲ୍ ନେଇଥାନ୍ତି। କିନ୍ତୁ ସୌମ୍ୟ ସେଦିନ ୩୦ ଏମ୍ଏଲ୍ ଷ୍ଟେରଏଡ୍ ନେଇଥିଲେ। ଏକାବେଳେ ୧୫ଏମ୍ଏଲ୍ର ଦୁଇଟି ଡୋଜ୍ ନେଇଥିଲେ ବୋଲି ସୌମ୍ୟଙ୍କ ସାଙ୍ଗ ପୋଲିସକୁ ବୟାନ ଦେଇଛନ୍ତି। ଡବଲ୍ ଡୋଜ୍ ଷ୍ଟେରଏଡ୍ ନେଲା ପରେ ସେ ଓମ୍ଙ୍କୁ ଡକାଇଥିଲେ। ତାଙ୍କ ବାଇକ୍ରେ ବସି ଆସିଥିଲେ।
ରାସ୍ତାରେ ବାଇକ୍ରେ ବସିଲା ବେଳେ ନିଜକୁ ସମ୍ଭାଳି ପାରୁ ନ ଥିଲେ। ବେଳେ ବେଳେ ଅଣାୟତ୍ତ ହୋଇଯାଉଥିଲେ। ସେ ଓମ୍ଙ୍କ ବେକକୁ ବାରମ୍ବାର ଚିପୁଥିଲେ। ୨ ଯୁବତୀଙ୍କୁ କମେଣ୍ଟ ମାରିବାକୁ ଓମ୍ ତାଙ୍କୁ ମନା କରିବା ସହ ଅଟକାଇବାକୁ ଚେଷ୍ଟା କରୁଥିଲେ। ହେଲେ ସେ ଓମ୍ଙ୍କ କଥା ମାନି ନ ଥିଲେ ବରଂ ଓମ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ। ଦୁର୍ଘଟଣା ପରେ ଜଣେ ଯୁବତୀ ତଳେ ପଡ଼ି ଯିବାପରେ ସୌମ୍ୟ ହିଂସ୍ର ହୋଇ ଯାଇଥିଲେ। ପୀଡ଼ିତାଙ୍କୁ ଗାଳିଗୁଲଜ ସହ ତାଙ୍କ ପୋଷାକ ଚିରିଥିଲେ। ଏପରି କି ଜଣଙ୍କୁ ଚୂମ୍ବନ ମଧ୍ୟ ଦେଇଥିଲେ। ଉପସ୍ଥିତ ଲୋକେ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ ମଧ୍ୟ ସେ ଶାନ୍ତ ହେବା ବଦଳରେ ପାଲଟା ଉପସ୍ଥିତ ଲୋକଙ୍କୁ ଆକ୍ରମଣ କରିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।
ଜଣେ ଡାକ୍ତର କହିଛନ୍ତି, ଜିମ୍ରେ ଝାଳ ବୁହାଉଥିବା ବ୍ୟକ୍ତିଙ୍କ ପାଇଁ ସାଧାରଣତଃ ୧୦ ଏମ୍ଏଲ୍ ଷ୍ଟେରଏଡ୍ ଠିକ୍ ଅଛି। ଫଳର ସେ ଜିମ୍ରେ ଖଟିବା ସହ ଅତି ହାର୍ଡଓ୍ବାର୍କ ଜିମ୍ କରିପାରିବେ। କିନ୍ତୁ ଏହି ଷ୍ଟେରଏଡ୍ ପରିମାଣ ୧୨ଏମ୍ଏଲ୍ଠାରୁ ଅଧିକ ହେଲେ ଉକ୍ତ ବ୍ୟକ୍ତି କାହାକୁ ମାନି ନ ଥାନ୍ତି। ଏପରିକି ଲୁହାରଡ୍ ଭାଙ୍ଗିବା ସହ କ’ଣ କରନ୍ତି ତାହା ସେମାନେ ଜାଣି ପାରନ୍ତି ନାହିଁ। ସୌମ୍ୟଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି। ସୌମ୍ୟ ୧୦ ଏମ୍ଏଲ୍ରୁ ୩୦ଏମ୍ଏଲ୍ ଷ୍ଟେରଏଡ ନେଇଛନ୍ତି। ଫଳରେ ମାନସିକ ଚାପ ସହ ଏହାକୁ ସମ୍ଭାଳିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ତାଙ୍କୁ ସମ୍ଭାଳି ନ ପାରିବାରୁ ବାଧ୍ୟ ହୋଇ ଲୋକେ ତାଙ୍କୁ ବାନ୍ଧି ପକାଇଥିଲେ। ବିଶେଷଚ୍କରି ଅଧିକ ମାଡ଼ରୁ ତାଙ୍କ ମୃତ୍ୟୁ ଘଟିଥିଲା। ମୁଣ୍ଡ ଏବଂ ଛାତିରେ ମାଡ଼ ହେତୁ ସୌମ୍ୟଙ୍କ ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଛି।