ନବରଙ୍ଗପୁର,୫।୧୧(ସଦାଶିବ ପ୍ରହରାଜ): ମୃତ୍ୟୁ ପରେ ବି ମିଳିଲାନି ଶାନ୍ତି । ମଶାଣିରେ ସମାଧି ନେଇଥିବା ଜଣେ ଯୁବତୀଙ୍କ ମୃତଦେହକୁ ୪୨ ଦିନ ପରେ ଖୋଳି ବାହାର କରିବା ସହ ମୁଣ୍ଡ କାଟି ନେଇଥିବା ଅଭିଯୋଗ । ସମାଧି ନିକଟରେ କୁକୁଡ଼ା ବଳି ଓ ପୂଜାପାଠର ଚିହ୍ନ ମିଳିବା ପରେ ତନ୍ତ୍ରବିଦ୍ୟା କିମ୍ବା ଅନ୍ଧବିଶ୍ୱାସକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ନରସିଂହଗୁଡ଼ା ଗାଁରେ।
ଗାଁର ୨୭ ବର୍ଷୀୟା ଅବିବାହିତ ଯୁବତୀ ନୀଳାନ୍ଦ୍ରୀ ମାଝୀଙ୍କ ଗତ ସେପ୍ଟେମ୍ବର ୨୬ ତାରିଖରେ ମୃତ୍ୟୁ ହୋଇଥିଲା । ଦେହରେ ହାଡ଼ଫୁଟି ବା ଭଗବାନ ଆସିଥିବା ବିଶ୍ୱାସ କରି ପରିବାର ଲୋକେ ମୃତଦେହ ଶବଦାହ ନ କରି ଗାଁ ମଶାଣିରେ ତାଙ୍କୁ ପୋତି ଦେଇଥିଲେ।
ତାନ୍ତ୍ରିକମାନେ ସମାଧିରୁ ମୃତଦେହ ବାହାର କରିପାରନ୍ତି ବୋଲି ଆଶଙ୍କା କରି ପରିବାର ଲୋକେ ପ୍ରଥମ ୨୧ ଦିନ ଧରି ସମାଧିକୁ ଜଗି ରହିଥିଲେ । ପରେ ଜଗିବା ବନ୍ଦ କରି ଦେଇଥିଲେ ।
ତେବେ ୪୨ ଦିନ ପରେ ମସାଣିରେ ଘଟିଛି ଏହି ଅଭାବନୀୟ ଘଟଣା । ଗୁରୁବାର ସକାଳେ ଗ୍ରାମବାସୀ ଶୌଚ ପାଇଁ ଯାଇଥିବା ବେଳେ ସମାଧି ଖୋଳା ହୋଇଥିବା ଦେଖିଥିଲେ । ଖବର ପାଇ ପରିବାର ଲୋକେ ପହଞ୍ଚି ଦେଖିବା ବେଳକୁ ମୃତଦେହର ମୁଣ୍ଡ ନ ଥିଲା । ସମାଧି ନିକଟରେ ଦୁଇଟି କୁକୁଡ଼ା ବଳି ଦିଆଯାଇଥିବା ଚିହ୍ନ ସହ ପୂଜାପାଠ ସାମଗ୍ରୀ ପଡ଼ିଥିବା ଅଭିଯୋଗ ହୋଇଛି । କେହି ଦୁର୍ବୃତ୍ତ ରାତି ଅଧରେ ମୃତଦେହ ବାହାର କରି ମୁଣ୍ଡ କାଟି ନେଇଥିବା ପରିବାର ପକ୍ଷରୁ କୁହାଯାଇଛି ।
ଘଟଣା ପରେ ପରିବାର ଲୋକେ ପୁଣିଥରେ ମୃତଦେହକୁ ପୋତି ଦେଇଛନ୍ତି । ଏହା ପଛରେ ତନ୍ତ୍ରବିଦ୍ୟା, କୁଆଁରୀ ବିଦ୍ୟା ନା ଅନ୍ୟ କୌଣସି ଗୁପ୍ତ ପୂଜାପାଠର ଉଦ୍ଦେଶ୍ୟ ରହିଛି, ତାହାକୁ ନେଇ ଗାଁରେ ଚର୍ଚ୍ଚା ଜୋର ଧରିଛି । ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ଖବର ପାଇ ତେନ୍ତୁଳିଖୁଣ୍ଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବତୀଙ୍କ ଭାଇ ଅଭିମନ୍ୟୁ ମାଝୀଙ୍କୁ ଏତଲା ଦେବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଲା। ମୁଣ୍ଡ କାଟି ନେବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ତନ୍ତ୍ରବିଦ୍ୟା ନାଁ ଅନ୍ୟ କୌଣସି ରହସ୍ୟ, ଏସବୁ ପ୍ରଶ୍ନର ଉତ୍ତର ଏବେ ପୋଲିସ ତଦନ୍ତ ଉପରେ ନିର୍ଭର କରୁଛି।