Categories: ଖେଳ

ଶୋ ମଝିରୁ ଉଠି ପଳାଇଲେ ଅଖତର

କରାଚୀ,୨୭।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ୫ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଏହି ବିଜୟ ପରେ ଏକ ଟିଭି ପ୍ରୋଗ୍ରାମରେ ଉପସ୍ଥାପକଙ୍କ ସହ କଥା କଟାକଟି ପରେ ଶୋ ମଧ୍ୟରୁ ପଳାଇଥିଲେ ପୂର୍ବତନ ପାକିସ୍ତାନ ପେସର ଶୋଏବ ଅଖତର। ଏଥିସହ ଉକ୍ତ ଚ୍ୟାନେଲ ସହ କ୍ରିକେଟ ଆନାଲିଷ୍ଟ ପଦରୁ ଇସ୍ତଫା ଦେଇଛନ୍ତି।

ପିଟିଭିରେ ଏକ ପ୍ରୋଗ୍ରାମ ଚାଲିଥିବା ବେଳେ ଉପସ୍ଥାପକ ୪୬ ବର୍ଷୀୟ ଅଖତରଙ୍କୁ ଖୁବ୍‌ ଖରାପ ବ୍ୟବହାର କରିବା ସହ ଅସମ୍ମାନିତ କରିଥିଲେ। ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ପାଇଁ ୪୬ ଟେଷ୍ଟ ଓ ୧୬୩ ଦିନିକିଆ ଖେଳିଥିବା ଅଖତର ଛିଡ଼ା ହୋଇ ମାଇକ୍ରୋଫୋନ ଫୋପାଡ଼ି ଚାଲିଯାଇଥିଲେ। ଏହାସତ୍ତ୍ୱେ ତାଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରି ନ ଥିଲେ ଉପସ୍ଥାପକ ନୌମାନ ନିଆଜ। ସେ ବିନା କୌଣସି ପ୍ରତିକ୍ରିୟାରେ ଶୋ’କୁ ଆଗେଇ ନେଇଥିଲେ। କିନ୍ତୁ ଏହି ଘଟଣା ଶୋ’ରେ ଉପସ୍ଥିତ ଥିବା ସାର ଭିଭିଆନ ରିଚାଡର୍‌ସ, ଡେଭିଡ ଗୋଓ୍ବର, ରଶିଦ ଲତିଫ, ଉମର ଗୁଲ, ଆକିବ ଜାଭେଦ ଓ ପାକିସ୍ତାନ ମହିଳା ଦଳର ଖେଳାଳି ସାନା ମିରଙ୍କୁ ଚକିତ କରି ଦେଇଥିଲା।

ଏହି ଘଟଣାର ପ୍ରଭାବ ସୋସିଆଲ ମିଡିଆ ଉପରେ ମଧ୍ୟ ପଡ଼ିଛି। ସିଂହ ଭାଗ ୟୁଜର୍ସ ଅଖତରଙ୍କ ପ୍ରତି ସମବେଦନା ପ୍ରକାଶ କରିବା ସହ ପିଟିଭି କ୍ରୀଡ଼ା ଉପସ୍ଥାପକ ନିଆଜଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି।

Share