ଆଜି ଆସୁଛନ୍ତି ଶିବରାଜ: ଆଗକୁ ଆସିବେ ଗଡକରୀ, ରାଜନାଥ

ଭୁବନେଶ୍ୱର,୧୩।୨(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଭାଜପା ନିଜର ରାଜନୈତିକ ପ୍ରସ୍ତୁତିକୁ ଜୋରଦାର କରିଛି। ଦଳର କେନ୍ଦ୍ରୀୟ ନେତାମାନେ ସରକାର ଗଠନ କରିବାର ଦମ୍ଭୋକ୍ତି ଦେଖାଉଛନ୍ତି। ସେହିକ୍ରମରେ ଆସନ୍ତା ୨୪ ତାରିଖ ମଧ୍ୟରେ ଭାଜପା ପକ୍ଷରୁ ସବୁ ଲୋକ ସଭା ନିର୍ବାଚନମଣ୍ଡଳୀରେ ଦଳୀୟ କାର୍ଯ୍ୟାଳୟ ଉଦ୍‌ଘାଟନ କରାଯିବ ବୋଲି ଜଣାପଡିଛି। ଏହା ପୂର୍ବରୁ ରାଜ୍ୟ ଗସ୍ତକୁ କେତେଜଣ କେନ୍ଦ୍ରୀୟ ନେତା ଆସି ଭାଜପା ଲାଗି ପ୍ରଚାର କରିବା କାର୍ଯ୍ୟକ୍ରମ ମଧ୍ୟ ଏକପ୍ରକାର ସ୍ଥିର ହୋଇସାରିଛି। ଚଳିତ ମାସରେ ୩ ଜଣ କେନ୍ଦ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସୁଥିବା ନେଇ ଦଳ ପକ୍ଷରୁ ଏକପ୍ରକାର ସୂଚନା ମିଳିଛି।
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ମଧ୍ୟାହ୍ନ ୧୨ଟା ସମୟରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସିଧାସଳଖ ଜଗତସିଂହପୁର ଗସ୍ତ କରିବେ। ଜଗତସିଂହପୁର ଲୋକ ସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବା ପରେ ଶିବରାଜ ମା’ ଶାରଳାଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବେ। ଏହାପରେ ସାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ। କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ଦର୍ଶନ କରିବା ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆସନ୍ତା ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ପୁରୀଠାରେ ଏକ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ଥିବାବେଳେ ଏନେଇ ବିଧିବଦ୍ଧ ଭାବେ ଦଳ ପକ୍ଷରୁ ସୂଚନା ଦିଆଯାଇ ନାହିଁ। ସେହିପରି ଆସନ୍ତା ୨୨ ତାରିଖରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କର ମଧ୍ୟ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ସୋମବାର ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାଙ୍ଗଠନିକ ବୈଠକରେ ଏନେଇ ଆଲୋଚନା ହୋଇଥିବା ବେଳେ ସାରେ ପୁଣିଥରେ ବରିଷ୍ଠ ନେତାମାନଙ୍କ ସହ ଏ ବାବଦରେ ଦଳର ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଆଲୋଚନା କରିଛନ୍ତି। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସାଧାରଣ ସମ୍ପାଦକ ମାନସ ମହାନ୍ତିଙ୍କ ଉପସ୍ଥିତିରେ ପୃଥକ ପୃଥକ ଭାବେ ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି, ଜିଲା ସଭାପତି ଏବଂ ମିଡିଆ ବିଭାଗ ସହ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଦଳର ସାଙ୍ଗଠନିକ ପୁନର୍ବିନ୍ୟାସ ବିଷୟରେ ଆଲୋଚନା ହେବା ସହ ଅନେକ ସାମ୍ପ୍ରତିକ ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହାସହ ଦଳ ପକ୍ଷରୁ ରାଜ୍ୟରେ ସଫଳ ଭାବେ ଚାଲିଥିବା ବୁଥ୍‌ ଚାଲ, ଗାଁ ଚାଲ, ଶକ୍ତିବନ୍ଦନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇଛି। ସଙ୍ଗଠନ ଏବଂ ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା ଗସ୍ତ ପାଇଁ ଆସୁଥିବା ଅନେକ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।