ଶୀତଳପୁରକୁ ବିପଦ ସାଳନ୍ଦୀ

ଆରଡ଼ି, ୧୧।୫ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ଶୀତଳପୁର ଗାଁ ଦେଇ ବହି ଯାଇଛି ସାଳନ୍ଦୀ ନଦୀ। ଏହି ଗାଁ ପାର୍ଶ୍ୱ ନଦୀ ନିକଟରେ ବାରମ୍ବାର ଅତଡ଼ା ଧସୁଛି। ଫଳରେ ଏହି ନଦୀ ଏବେ ଗାଁ ପାଇଁ ବିପଦ ସାଜିଛି। ଏହାକୁ ନେଇ ନଦୀ କୂଳବର୍ତ୍ତୀ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।
ଏହି ଗ୍ରାମରେ ପ୍ରାୟ ୧୦୦ ପରିବାରର ୬ ଶହରୁ ଅଧିକ ଲୋକ ବସବାସ କରୁଛନ୍ତି। ପ୍ରାୟ ୧୦ ବର୍ଷ ହେବ ଗାଁ ମୁହାଁ ହୋଇଛି ଏହି ନଦୀ। ବାରମ୍ବାର ନଦୀପାର୍ଶ୍ୱରୁ ଅତଡ଼ା ଧସୁଛି ଓ କୂଳ ଲଙ୍ଘୁଛି। ୪ ମାସ ତଳେ ନଦୀର ପଶ୍ଚିମ ଅର୍ଥାତ୍‌ ଗାଁ ପାର୍ଶ୍ୱରେ ବିରାଟ ଫାଟ ସୃଷ୍ଟି ହୋଇଛି। ଏହି ଫାଟ ଏବେ ବଢ଼ିବାରେ ଲାଗିଛି। ଏପରିକି ଗାଁରେ ଥିବା ଘର ଓ ଗୋରୁ ଗୁହାଳେ ମଧ୍ୟ ଏହି ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଫାଟ ସୃଷ୍ଟି ହେବାରୁ ନିକଟବର୍ତ୍ତୀ ସ୍ଥାନରେ ବସବାସ କରୁଥିବା ୬ ପରିବାର ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ନଦୀ କୂଳରେ ଥିବା ୨ ଘର, ସଂଖ୍ୟାଧିକ ନଡ଼ିଆ ଓ ତାଳଗଛ ଏବେ ନଦୀ ଆଡ଼କୁ ଢଳିଲାଣି। କେଉଁ ମୁହୂର୍ତ୍ତରେ ବି ଅଘଟଣ ଘଟିବାର ଆଶଙ୍କା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। ପ୍ରତିବର୍ଷ ବର୍ଷାଋତୁ ପୂର୍ବରୁ ନଦୀପାର୍ଶ୍ୱରେ ବାଲିବସ୍ତା ବନ୍ଧ ପକାଯାଏ। ଯାହାକି ଗଁାକୁ ସାମୟିକ ସୁରକ୍ଷା ଦେଇଥାଏ। ସ୍ଥାୟୀ ପଥରବନ୍ଧ ଓ ଲୁଣାବନ୍ଧ ନିର୍ମାଣ ହେବ ବୋଲି ଶୁଣି ଆସୁଛନ୍ତି। ସ୍ଥାୟୀ ପଥରବନ୍ଧ ନିର୍ମାଣ ଲାଗି ବାରମ୍ବାର ଜଳସେଚନ ବିଭାଗ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଏବେ ଗଁାରେ ଯେଉଁ ଫାଟ ସୃଷ୍ଟି ହୋଇଛି ତାହାର ସ୍ଥାୟୀ ମରାମତି କରା ନ ଗଲେ ଅର୍ଦ୍ଧାଧିକ ଘର ନଦୀରେ ବିଲୀନ ହୋଇଯିବାର ଆଶଙ୍କା ରହିଥିବା ଋଷି ପ୍ରସାଦ ମାଝି, ପ୍ରଦୀପ ନାୟକ, ଦେବବ୍ରତ ରାୟ, କାହ୍ନୁ ଚରଣ ପରିଡ଼ା ପ୍ରମୁଖ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଦାସ କହିଛନ୍ତି, ନଦୀବନ୍ଧରେ ଯେଉଁ ଫାଟ ସୃଷ୍ଟି ହୋଇଛି ତାହାର ଏଷ୍ଟିମେଟ ପ୍ରସ୍ତୁତ କରି ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ଏଥିରେ ଆନୁମାନିକ ୮୦ ଲକ୍ଷ ଟଙ୍କା ବ୍ୟୟବରାଦ ହେବ ବୋଲି ଦର୍ଶାଯାଇଛି। ଖୁବ୍‌ଶୀଘ୍ର ଏହା ଟେଣ୍ଡର ପ୍ରକିୟାକୁ ଆସିଯାଇ କାମ ଆରମ୍ଭ ହେବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି।