ଶିଶିର ସରସ ମେଳା ଆରମ୍ଭ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ବିଭିନ୍ନ ଆକର୍ଷଣୀୟ ସାମଗ୍ରୀକୁ ନେଇ ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ମଙ୍ଗଳବାରଠାରୁ ଶିଶିର ସରସ ମେଳା ଆରମ୍ଭ ହୋଇଛି। ଏହା ଜାନୁୟାରୀ ୬ତାରିଖ ପର୍ଯ୍ୟନ୍ତ ଚାଲିବ। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ବାରା ଆୟୋଜିତ ଏହି ଜାତୀୟସ୍ତରୀୟ ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ଉଦ୍‌ଘାଟନ କରିଛନ୍ତି। ମିଶନ ଶକ୍ତି ବିଭାଗ, ଟିଡିସିସିଓଏଲ୍‌, ରୁର୍ବାନ ମିଶନ, ନାବାର୍ଡ, ଟ୍ରାଇଫେଡ୍‌, ହସ୍ତକଳା ଓ କୁଟୀର ଶିଳ୍ପ ବିଭାଗ, କେନ୍ଦ୍ର ଓ ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବିଭାଗ ଆଦି ସଂସ୍ଥା ଆୟୋଜନରେ ସହଯୋଗ କରିଛନ୍ତି। ଏଥର ମେଳାରେ ମୋଟ ୩୦୦ଟି ଷ୍ଟଲ ଖୋଲିଛି। ଏଥିରେ ଓଡ଼ିଶା ସମେତ ୨୦ଟି ରାଜ୍ୟର ଗ୍ରାମୀଣ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବିକ୍ରି କରାଯିବା ସହ ୪୦୦ରୁ ଅଧିକ ସ୍ବୟଂ ସହାୟିକା ଗୋଷ୍ଠୀ ବା ଉତ୍ପାଦକ ଗୋଷ୍ଠୀ ଏବଂ ୫୦୦ରୁ ଊର୍ଦ୍ଧ୍ୱ କାରିଗର ତଥା ବିକ୍ରେତା ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଦିନରୁ ବିକ୍ରେତାମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ସେହିପରି ୧୦ଟି ଷ୍ଟଲକୁ ନେଇ ଏକ ଫୁଡ୍‌କୋର୍ଟ ଖୋଲାଯାଇଛି। ସେଠାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହ କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍‌, ବାରିପଦାର ମୁଢ଼ି ମାଂସ ଓ ଅନ୍ୟ ରାଜ୍ୟର ଖାଦ୍ୟ ବିକ୍ରି ହେଉଛି। କୋରାପୁଟ କଫିର ମଜା ନେବା ପାଇଁ ସ୍ବତନ୍ତ୍ର କୋରାପୁଟ କାଫେ ଷ୍ଟଲ ଖୋଲାଯାଇଛି। ଓର୍‌ମାସ୍‌ ସହାୟତାରେ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ତଥା ଘରକରଣା ଜିନିଷକୁ ନେଇ ଏକ ଷ୍ଟଲ ଖୋଲାଯାଇଛି। ବିଭିନ୍ନ ରାଜ୍ୟରୁ ଆସିଥିବା କାରିଗରଙ୍କ ଗ୍ରାମୀଣ ହସ୍ତଶିଳ୍ପ ସାମଗ୍ରୀ ଉପଲବ୍ଧ ହେଉଛି। ଛତିଶଗଡ଼ର ଟସର, ଆସାମ ଏବଂ ଉତ୍ତର ପୂର୍ବ ରାଜ୍ୟର ବେତ ଓ ବାଉଁଶରୁ ପ୍ରସ୍ତୁତ ସାମଗ୍ରୀ, ପଶ୍ଚିମବଙ୍ଗର ହସ୍ତତନ୍ତ ଓ ଝୋଟ ସାମଗ୍ରୀ, ମଣିପୁରର ଡ୍ରାଏ ଫ୍ଲାଓ୍ବାର, ଗୁଜରାଟ କାରିଗରଙ୍କ ଘର ସାଜସଜ୍ଜା ଓ ଶାଲ, ପଞ୍ଜାବର ଫୁଲକରୀ, ବିହାରର ମଧୁବନି ପେଣ୍ଟିଂ, ଆନ୍ଧ୍ରପ୍ରଦେଶର ହସ୍ତତନ୍ତ ସାମଗ୍ରୀ ସମେତ ବିଭିନ୍ନ ଆକର୍ଷଣୀୟ ଘରକରଣା ଜିନିଷର ପସରା ପଡ଼ିଛି।