ମହାକାଳପଡ଼ା, ୨୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତ ବଡ଼ଟୁବି, ସାନଟୁବି ଓ ନିପାଣିଆ ଗ୍ରାମରେ ଜାହାଜ କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ପ୍ରାଥମିକ ସର୍ଭେ ଆରମ୍ଭ ହୋଇଛି। ଉଚ୍ଚସ୍ତରୀୟ ଅଧିକାରୀମାନେ ପୂର୍ବାହ୍ନରେ ଖରୀନାଶି ଜେଠିଠାରୁ ଏକ ବୋଟରେ ବତୀଘର ପଞ୍ଚାୟତର ବଡ଼ଟୁବି, ସାନଟୁବି ଓ ନିପାଣିଆ ଗ୍ରାମରେ ପହଞ୍ଚି ପ୍ରସ୍ଥାବିତ ସ୍ଥାନ ଦେଖିଥିଲେ। ଏହି ସ୍ଥାନ ସମୁଦ୍ର ସଂଲଗ୍ନ ମହାନଦୀ ମୁହାଣ ନିକଟରେ ରହିଛି। ଶିଳ୍ପ କାରଖାନା ପାଇଁ ଆବଶ୍ୟକ ମାଲ ପରିବହନ ଓ ଦେଶ ବିଦେଶକୁ ରପ୍ତାନି ଆମଦାନୀରେ ସୁବିଧା ହେବ ବୋଲି କୁହାଯାଉଛି। ବିଶେଷ କରି ନିପାଣିଆ ଗ୍ରାମ ଶିଳ୍ପ କାରଖାନା ପାଇଁ ଉପଯୁକ୍ତ ସ୍ଥାନ ଓ ଏଠାରେ ସରକାରଙ୍କ ବହୁ ଏକର ଜମି ରହିଛି। ଫଳରେ ଏହି ସ୍ଥାନ ସର୍ଭେ ଟିମ୍ର ପସନ୍ଦ ବୋଲି କୁହାଯାଉଛି। ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ୧୯ ଶହ ଏକର ଜମି ଆବଶ୍ୟକ। ସେଥିରୁ ପ୍ରାଥମିକ ପର୍ଯ୍ୟାୟରେ ୧ ହଜାର ଏକର ଜମି ଆବଶ୍ୟକ ବୋଲି ତହସିଲ ପକ୍ଷରୁ କୁହାଯାଇଛି।
ଏହି ଉଚ୍ଚସ୍ତରୀୟ ସର୍ଭେ ଟିମ୍ରେ କେନ୍ଦ୍ର ବାଣିଜ୍ୟ ଓ ପରିବହନ ମନ୍ତ୍ରାଳୟ ବନ୍ଦର ଓ ଅନ୍ତର୍ଦ୍ଦେଶୀୟ ଜଳ ପରିବହନ ନିର୍ଦ୍ଦଶକ ପ୍ରଫୁଲ୍ଲ କୁମାର ବେହେରା, ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବ ଶେଖ ଜମାରୁଦ୍ଦିନ, ପାରାଦ୍ୱୀପ ପୋର୍ଟ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀ, କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟର, ଉପ ଜିଲାପାଳ ଅରୁଣ କୁମାର ନାୟକ, ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ର, ରାଜସ୍ବ ନୀରିକ୍ଷକ ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ପଚାରିବାରେ ମହାକାଳପଡ଼ା ବତୀଘର ଅଞ୍ଚଳରେ ଶିଳ୍ପ କାରଖାନା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ନିଯୁକ୍ତି ସୃଷ୍ଟି ହେବା ସହ ଅଞ୍ଚଳର ଆର୍ଥିକ ବିକାଶ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହେବ ବୋଲି କହିଛନ୍ତି।