୧୪ରେ ଖୋଲିବ ଶିମିଳିପାଳ

ବାରିପଦା, ୮।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଶିମିଳିପାଳ ଅଭୟାରଣ୍ୟ ନଭେମ୍ବର ୧ ପରିବର୍ତ୍ତେ ଚଳିତ ମାସ ୧୪ ତାରିଖରୁ ବିଧିବଦ୍ଧ ଭାବେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଏନେଇ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଶିମିଳିପାଳ ଭିତରକୁ ପ୍ରବେଶ ନିମନ୍ତେ ଅନ୍‌ଲାଇନ ଯୋଗେ ଯାନବାହନ ଓ ରହିବା ପାଇଁ କଟେଜ୍‌ ବ୍ୟବସ୍ଥା କରାଯାଇଛି। ସାନ୍ତାଳୀ ଆଦିବାସୀ କଟେଜ, ଟ୍ରି ହାଉସ ଓ ବାଉଁଶ ଘର ସହ ସୁସ୍ବାଦୁ ବ୍ୟଞ୍ଜନ ପରଷିବା ପାଇଁ ଅଗ୍ରିମ ବ୍ୟବସ୍ଥା କରାଯାଇଛି। ଏହାସହ ଅଭୟାରଣ୍ୟ ଭିତରକୁ ପଶିବା ପାଇଁ ସାଥୀରେ ଗାଇଡ୍‌ ନେବା ବାଧ୍ୟତାମୂଳକ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଡ.ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।
ଶିମିଳିପାଳ ଅଭୟାରଣ୍ୟ ହେଉଛି ଅନନ୍ୟ ପ୍ରକୃତି ସୌନ୍ଦର୍ଯ୍ୟର ଗନ୍ତାଘର। ସବୁଜ ବୃକ୍ଷଲତା, ଝରଣା, ଜଳପ୍ରପାତ, ହ୍ରଦ ଓ ପ୍ରକୃତିର ମନଲୋଭା ଦୃଶ୍ୟ ସାଙ୍ଗକୁ ଅତି ନିକଟରୁ ବନ୍ୟପ୍ରାଣୀଙ୍କୁ ଦେଖିବା ପାଇଁ ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିଥାଏ। ସବୁଜ ପରିବେଷ୍ଟିତ ବଣପାହାଡ଼ ଘେରା ଜଙ୍ଗଲ ଓ ପକ୍ଷୀଙ୍କ କଳରବକୁ ଶୁଣି ଆନନ୍ଦିତ ହେବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବାରିପଦା ପିଠାବଟା ପଟୁ ୨୫ଟି ଓ ଯଶିପୁର କାଳିଆମୀ ପ୍ରବେଶ ପଥ ଦେଇ ୩୫ଟି ଯାନ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବାର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବା ନିମନ୍ତେ ରାସ୍ତାଘାଟ ମରାମତି କାର୍ଯ୍ୟ ଚାଲୁ ରହିଛି। ଶିମିଳିପାଳରେ ପର୍ଯ୍ୟଟକଙ୍କ ରାତ୍ରିଯାପନ, ସେମାନଙ୍କ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ ସହ ବନ ସୁରକ୍ଷା ସମିତି ମାଧ୍ୟମରେ ଖାଦ୍ୟ ପରଷିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜେନାବିଲ, ଜାମୁଆଣି, କୁମାରୀ, ଗୁଡୁଗୁଡିଆ, ମୁକ୍ତାପୁର, ବରେହିପାଣି ଓ ରାମତୀର୍ଥଠାରେ ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ ୫ଟି ନେଚର କ୍ୟାମ୍ପ ରହିଛି। ୫ଟି ବୋଫର ଜୋନ୍‌ରେ ରାତ୍ରିଯାପନ ଲାଗି ମୋଟ ୫୯ଟି କୁଟିର ବା କଟେଜ ଥିବାବେଳେ ପର୍ଯ୍ୟଟକଙ୍କ ମନମୋହିବା ପାଇଁ ସାନ୍ତାଳୀ ସମ୍ପ୍ରଦାୟର କୁଟିର, ଆଦିବାସୀ କୁଟିର, ବାଉଁଶ କୁଟିର ଓ ଟ୍ରି ହାଉସ ଭଳି ଆକର୍ଷଣୀୟ ବ୍ୟବସ୍ଥା କରାଯାଇଛି। ଏହାକୁ ବୁକିଂ କରିବା ଲାଗି ଇକୋଟୁର ଓଡ଼ିଶା ଡଟ୍‌ କମ୍‌ ଅନ୍‌ଲାଇନ ବ୍ୟବସ୍ଥା ହୋଇଛି। ସେହିପରି ଶିମିଳିପାଳ ଡଟ୍‌ ଓଆର୍‌ଜି ୱେବ୍‌ସାଇଟ୍‌ ଜରିଆରେ ପର୍ଯ୍ୟଟକମାନେ ରହିବା ଓ ଖାଇବାର ମଜା ନେଇପାରିବେ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି। ପ୍ଲାଷ୍ଟିକ ଓ ସୋଲର ବ୍ୟବହାର ଉପରେ ଅଙ୍କୁଶ ଲଗାଯାଇଥିବାରୁ ପୂର୍ବବର୍ଷ ପରି ପ୍ରବେଶପଥ ଓ ଶିମିଳିପାଳ ମଧ୍ୟରେ ମାଟିପାତ୍ରରେ ଚା’ ସହ କଞ୍ଚା ଶାଳପତ୍ରର ପ୍ଲେଟ, ଦନାରେ ଖାଇବା ବ୍ୟବସ୍ଥା କରାଯାଇଛି। ପଲିଥିନ, ଅଗ୍ନି ସଂଯୋଗକାରୀ ସାମଗ୍ରୀ, ଆମିଷ ଓ ମାଦକ ଦ୍ରବ୍ୟ ବ୍ୟବହାର ଉପରେ କଟକଣା କରାଯାଇଛି। ଅପରାହ୍ନ ୩ଟା ପୂର୍ବରୁ ପର୍ଯ୍ୟଟକମାନେ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ଅପରାହ୍ନ ୪ଟା ପୂର୍ବରୁ ସମସ୍ତେ ଚହଲା ସ୍ଥାନକୁ ଛାଡ଼ିବା ପାଇଁ ବାଧ୍ୟତାମୂଳକ କରାଯାଇଛି। କୌଣସି କାରଣବଶତଃ ଗାଡ଼ି ଖରାପ ହେଲେ ପର୍ଯ୍ୟଟକମାନଙ୍କୁ ବାରିପଦା ଓ ଯଶିପୁର ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତର କରିବା ପାଇଁ ଅଗ୍ରିମ ଟଙ୍କା ଜମା କରିବାକୁ ନିୟମ ରହିଛି।