ଏସ୍‌ଏଚ୍‌ଜି ମହିଳାଙ୍କୁ ମିଳିନି କୋଟିଏରୁ ଅଧିକ ଟଙ୍କା, ଜିଲାପାଳଙ୍କ ଅଫିସ ଘେରାଉ କରି…

ନୂଆପଡ଼ା,୨୦ା୮(ମକାରୁ ବେମାଲ): ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସରକାରଙ୍କ ଧାନକିଣା ପ୍ରକ୍ରିୟାରେ ସାମିଲ ହେଲେ କିଛି ଟଙ୍କା ରୋଜଗାର ପାଇବେ। ସାବଲମ୍ବୀ ହେବା ପାଇଁ ଏସ୍‌ଏଚ୍‌ଜିଙ୍କ ପାଇଁ ଏହା ସହାୟକ ହେବ ବୋଲି ପୂର୍ବ ସରକାର ପରିକଳ୍ପନା କରିଥିଲେ। କିନ୍ତୁ ନୂଆପଡ଼ା ଜିଲାରେ ଧାନକିଣା ପ୍ରକ୍ରିୟାରେ ସାମିଲ ହୋଇଥିବା ଏସଏଚ୍‌ଜି ମହିଳା ସେମାନଙ୍କର କମିଶନ ଓ ହେମାଲି(ନିୟୋଜିତ ଶ୍ରମିକ) ବାବଦ ଟଙ୍କା ପାଇ ନ ଥିବା ଅଭିଯୋଗ ହୋଇଛି। ଟଙ୍କା ପାଇଁ ଏସଏଚ୍‌ଜିର ମହିଳାମାନେ ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଟଙ୍କା ମିଳିପାରିନି। ଗୁରୁବାର ଜିଲାର ୧୩ଟି ଏସଏଚ୍‌ଜି ମହିଳାମାନେ ଏକତ୍ର ହୋଇ ଏକ ଶୋଭାଯାତ୍ରାରେ ଆସି ଜିଲାପାଳ ଅଫିସ ଘେରାଉ କରିଛନ୍ତି। ଏହି ଘେରାଉରେ ଶତାଧିକ ମହିଳା ସହ ବିଜେଡି ଜିଲା ସଭାପତି ଅବନୀ ଯୋଶୀ, ଜିଲାପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ, ଟିଙ୍କୁ ପଣ୍ଡା,ଉମେଶ କୁମାର ସହିସ ପ୍ରମୁଖ ସାମିଲ ହୋଇ ଉପସ୍ଥିତ ରହିଛନ୍ତି।

ସୂଚନା ଅନୁସାରେ, ୨୦୨୪-୨୫ରେ ନୂଆପଡ଼ା ଜିଲାର ୫ଟି ବ୍ଲକ୍‌ରେ ୧୩ଟି ଏସ୍‌ଏଚ୍‌ଜି ଖରିଫ ଓ ରବି ଧାନକିଣା ପାଇଁ ଅନୁମତି ଦିଆଯାଇଥିଲା। ସରକାର ନିୟମ ଅନୁଯାୟୀ ଜିଲାର ପ୍ରତ୍ୟେକ ଏସ୍‌ଏଜିକୁ କ୍ୱିଣ୍ଟାଲ ପିଛା ୩୧ ଟଙ୍କା ୨୫ ପଇସା କମିଶନ ରହିଥିଲା।

ସେହିପରି ହେମାଲି ପାଇଁ କ୍ୱିଣ୍ଟାଲ ପିଛି ୮ ଟଙ୍କା ୬୭ ପଇସା ବ୍ୟବସ୍ଥା କରାଯାଇଥିଲା। ଖରିଫରେ ୨ଲକ୍ଷ ୨୭ ହଜାର ୫୩୫ କ୍ୱିଣ୍ଟାଲ ଧାନ ସଂଗ୍ରହ ବାବଦ କମିଶନ ୭୧ ଲକ୍ଷ ୧୦ ହଜାର ୪୯୮ ଟଙ୍କା ହୋଇଥିବାବେଳେ ମଣ୍ଡି ଓ ହେମାଲି ବାବଦକୁ ୨୯ ଲକ୍ଷ ୮୯ ହଜାର ୮୨୨ ଟଙ୍କା ମୋଟ୍‌ ୧ କୋଟି ୧ ହଜାର ୩୨୦ ଟଙ୍କା ବକେୟା ରହିଛି। ଏଥିସହିତ ରବିରେ ୨୮ ହଜାର ୨୭୩ କ୍ୱିଣ୍ଟାଲ ଧାନ ସଂଗ୍ରହ କରିଥିଲେ। କମିଶନ ବାବଦକୁ ୮ ଲକ୍ଷ ୮୩ ହଜାର ୫୩୯ ଟଙ୍କା, ମଣ୍ଡି ଓ ହେମାଲି ବାବଦକୁ ୩ ଲକ୍ଷ ୭୧ ହଜାର ୫୧୧ ଟଙ୍କା, ମୋଟ୍‌ ୧୨ ଲକ୍ଷ ୫୫ ହଜାର ୫୦ ଟଙ୍କା ବାକି ରହିଛି। ଖରିଫ ଓ ରବିରେ ମୋଟ୍‌ ୧ କୋଟି ୧୩ ଲକ୍ଷ ୫୫ ହଜାର ୩୭୦ ଟଙ୍କା କମିଶନ ଓ ହେମାଲି ବାବଦ ବକେୟା ଟଙ୍କା ଆଜି ପର୍ଯ୍ୟନ୍ତ ଜିଲାର ୧୩ଟି ଏସ୍‌ଏଚ୍‌ଜିକୁ ସରକାର ଦେଇ ନ ଥିବା ଅଭିଯୋଗ ହୋଇଛି।

Dharitri – Odisha’s No.1 Odia Daily

Share