ଦିଗପହଣ୍ଡିରେ ଶାରଦୀୟ ଠାକୁରାଣୀ ଯାତ୍ରା ମହୋତ୍ସବ: ଶେଷ ହେଲା ଘଟ ଶୋଭାଯାତ୍ରା, ମେଲୋଡି କୁଇନ୍ ଇରା ମହାନ୍ତିଙ୍କ ଗୀତରେ ଝୁମିଲେ ଦର୍ଶକ

ଦିଗପହଣ୍ଡି, ୨୩।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବର ଶୁକ୍ରବାର ସପ୍ତମ ଦିବସ ବିତିଛି। ସନ୍ଧ୍ୟାରେ ବଜାରସାହି ଗାନ୍ଧୀଛକସ୍ଥିତ ଅସ୍ଥାୟୀ ଯାତ୍ରାପୀଠରେ ଆଶ୍ୱିନ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି ଅବସରରେ ମା’ଙ୍କ ସେବା, ପୂଜା ଓ ମଣୋହି କରାଯାଇଥିଲା। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସନ୍ଧ୍ୟାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା।

ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟ ସେବାୟତ ଆଦିତ୍ୟ ପାତ୍ର ମା’ଙ୍କ ସାନ୍ଧ୍ୟ ଆଳତି କରିବା ପରେ ପୁରୋହିତ ପଣ୍ଡିତ ସନାତନ ରଥ ଶର୍ମା ଘଟ ଶୋଭାଯାତ୍ରା ପାଇଁ ମା’ଙ୍କୁ ଆବାହନ କରିଥିଲେ। ମା’ଙ୍କ ଆଜ୍ଞାମାଳ ପାଇବା ପରେ ପାର୍ଶ୍ୱ ଘଟଧାରୀ ମହିଳାମାନେ ମା’ଙ୍କ ଆଜ୍ଞା ନେଇ ମସ୍ତକରେ ଘଟ ଧାରଣ କରିଥିଲେ। ମୁଖ୍ୟ ଘଟକୁ ଶୋଭାଯାତ୍ରାର ସମ୍ମୁଖ ଭାଗରେ ରଖାଯାଇଥିଲା। ଏହାପରେ ମା’ ବୁଢ଼ୀ ଠାକୁରାଣୀ ବାଦ୍ୟବାଜଣାର ତାଳେ ତାଳେ ଝୁଲି ଝୁଲି ଯାତ୍ରାପୀଠରୁ ଶୋଭାଯାତ୍ରାରେ ବାହାରିଥିଲେ।

ଶୋଭାଯାତ୍ରା ଜନତା ଲେନ୍ ଦେଇ ରାଣୀସାହି, ବ୍ରହ୍ମପୁର ଲିଙ୍କ୍ ରୋଡ୍ ଓ ଆନନ୍ଦନଗର ପରିକ୍ରମା କରି ପୁରୁଣା ବସଷ୍ଟାଣ୍ଡରେ ପହଞ୍ଚିଥିଲା। ସେଠାରେ ଶ୍ରୀ ଭାବକୁଣ୍ଡଳେଶ୍ୱର ବ୍ୟବସାୟୀ ସଂଘ ପକ୍ଷରୁ ବିଧି ଅନୁଯାୟୀ ମା’ଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବ୍ୟବସାୟୀ ସଂଘ ପକ୍ଷରୁ ପୂଜା ପାଉଥିବା ମା’ ଦୁର୍ଗାଙ୍କ ମେଢ଼ ମଣ୍ଡପରେ ମା’ ବୁଢ଼ୀ ଠାକୁରାଣୀଙ୍କ ସହ ଭେଟଘାଟ ଓ ପୂଜାର୍ଚ୍ଚନା କରାଯାଇଥିଲା।

ଏହି ଅବସରରେ ପୂଜା କମିଟିର କାର୍ଯ୍ୟକର୍ତ୍ତା ତଥା ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଭି. ରବି ନାରାୟଣ ରାଜୁ, ପୂର୍ବତନ କାଉନସିଲର ଅଳକ ନାଥ ମିଶ୍ର, ସଂଗ୍ରାମ କେଶରୀ ରଥ, ପ୍ରଦୀପ କୁମାର ପଣ୍ଡା, ଅଶୋକ କୁମାର ନନ୍ଦ, ପ୍ରଦୀପ କୁମାର ରଥ, ଜେ. ମିଟୁ ରାଓ, ସୁଧାକର ସାହୁ, ଅଜିତ କୁମାର ନନ୍ଦ, ପି. ଦୁଷ୍ମନ୍ତ ଦୋରା, ସୁରେଶ କୁମାର ସାହୁ, ହରିକୃଷ୍ଣ ଗୌଡ଼, ଉଦୟ ସାମନ୍ତ, ସୁବାସ ପାଣିଗ୍ରାହୀ, ଅରୁଣ ପ୍ରଧାନ, ବାବୁଲା ରେଡ୍ଡୀ ଓ ସୁଦର୍ଶନ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ମା’ଙ୍କୁ ବନ୍ଦାପନା କରିବା ସହ ବର୍ଷକ ପାଇଁ ବିଦାୟ ଦେଇଥିଲେ।

ଏହାପରେ ମା’ଙ୍କ ଶୋଭାଯାତ୍ରା ନୂଆ ବସଷ୍ଟାଣ୍ଡର ମୁଖ୍ୟ ରାସ୍ତା ପରିକ୍ରମା କରି ପୁନର୍ବାର ଜନତା ଲେନ୍ ଦେଇ ଯାତ୍ରାପୀଠକୁ ଫେରିଥିଲା। ଏଥିସହ ଘଟ ଶୋଭାଯାତ୍ରା ସମାପ୍ତ ହୋଇଥିଲା।

ଯାତ୍ରା ମହୋତ୍ସବ ଅବସରରେ ସକାଳେ ଦିଗପହଣ୍ଡିର ପାରମ୍ପରିକ ଗୋଲା ନାଚ ପରିବେଷଣ କରାଯାଇଥିଲା। ସନ୍ଧ୍ୟାରେ ଭୁବନେଶ୍ୱରର ଲାଇଭ୍ ବ୍ୟାଣ୍ଡ ଅନୁଷ୍ଠାନ ପକ୍ଷରୁ ମେଲୋଡି କୁଇନ୍ ଇରା ମହାନ୍ତିଙ୍କ ସମେତ ଅନ୍ୟ ବିଶିଷ୍ଟ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ। ସେମାନଙ୍କ ମନମତାଣିଆ ଗୀତରେ ଦର୍ଶକ ଝୁମି ଉଠିଥିଲେ।

ରାତି ପ୍ରାୟ ସାଢ଼େ ୧୧ଟାରେ ସୁନାମଧନ୍ୟ ନାଟ୍ୟ ନିର୍ଦ୍ଦେଶକ ସୁଶାନ୍ତ କୁମାର ସାହୁ ଓରଫ ନାଗାଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଦିଗପହଣ୍ଡିସ୍ଥିତ ମା’ ଫୁଲସୁନ୍ଦରୀ ନାଟ୍ୟ ସଂସଦର କଳାକାରମାନେ ସାମାଜିକ ନାଟକ ‘ହରିଶ୍ଚନ୍ଦ୍ର’ ମଞ୍ଚସ୍ଥ କରିଥିଲେ।

ଯାତ୍ରା ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ବିଚିତ୍ରାନନ୍ଦ ପଟ୍ଟନାୟକ, ଦୀପକ କୁମାର ମିଶ୍ର, ପ୍ରଦୀପ କୁମାର ପଣ୍ଡା, ନୀଳମାଧବ ଗୌଡ଼, କେ. କୁନା, ଶିବଶଙ୍କର ମହାଙ୍କୁଡ଼, ଅର୍ବୁଦ ଗୋବିନ୍ଦ, ଆଶିଷ କୁମାର ପଟ୍ଟନାୟକ, ଏ. ସାକିଲି, ଶିବଶଙ୍କର ମହାରଣା, କେ. ରାଜେନ୍ଦ୍ର, ରବୀନ୍ଦ୍ର କୁମାର ମାର୍ଥା, ପୁରୁଷୋତ୍ତମ ପାତ୍ର, ହିମାଂଶୁ ପାଣିଗ୍ରାହୀ, ବୈକୁଣ୍ଠ ସ୍ୱାଇଁ, ଏମ୍. ବୀର, ଦିବାକର ପ୍ରଧାନ, ଏ. ବନମାଳୀ, ଦୁର୍ଗାପ୍ରସାଦ ମେକାପ, ନରେନ୍ଦ୍ର ସାହୁ, ସତ୍ୟନାରାୟଣ ରେଡ୍ଡୀ ଓ ଏ. ସନ୍ତୋଷଙ୍କ ସମେତ ଅନ୍ୟ ଯାତ୍ରା କମିଟି ସଦସ୍ୟ ଏବଂ ପୋଲିସ ବାହିନୀ ଉପସ୍ଥିତ ରହି ଭିଡ଼ ନିୟନ୍ତ୍ରଣ କରିଥିଲେ।

Dharitri – Odisha’s No.1 Odia Daily

Share