ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍ରେ ଭାରତ ୧୧୪ ରନ୍ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି। ଫଳରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ଅତିକମ୍ରେ ରୌପ୍ୟ ପଦକ ନିଶ୍ଚିତ କରିଛି। ଆସନ୍ତା ୨୨ ତାରିଖରେ ହେବାକୁ ଥିବା ଫାଇନାଲରେ ଭାରତ ପଡ଼ୋଶୀ ଶ୍ରୀଲଙ୍କାକୁ ଭେଟିବ। ଗତ ହାଙ୍ଗଝୌ ସଂସ୍କରଣରେ ମଧ୍ୟ ଦୁଇ ଦଳ ଫାଇନାଲରେ ପରସ୍ପରକୁ ଭେଟିଥିଲେ।
ଶେଫାଳିଙ୍କର ଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୯୫ ରନ କରିଥିଲା। ଶେଫାଳି ୪୯ ବଲରେ ଅପରାଜିତ ୧୦୦ ରନର ଇନିଂସ ଖେଳିଥିଲେ। ତାଙ୍କର ଏହି ପାଳିରେ ୩ ଚୌକା ଓ ୯ ଛକା ସାମିଲ ଥିଲା।
ଅନ୍ୟମାନଙ୍କ ମଧ୍ୟରେ ଅଧିନାୟିକା ହରମନପ୍ରୀତ କୌର ୪୦ (୬ ଚୌକା) ଓ ସ୍ମୃତି ମନ୍ଧାନା ୩୭ (୫ ଚୌକା ଓ ୨ ଛକା) ରନ କରିଥିଲେ। ଜବାବରେ ଭାରତୀୟ ବୋଲରଙ୍କ ବୋଲିଂ ଆଗରେ ବାଂଲାଦେଶ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୫.୪ ଓଭରରେ ୮୧ ରନରେ ଅଲଆଉଟ୍ ହୋଇଯାଇଥିଲା। ଦଳ ପାଇଁ ଦିଲାରା ଅକତର ୨୭ (୪ ଚୌକା ଓ ୧ ଛକା) ରନ କରି କରିଥିଲେ। ଭାରତ ପକ୍ଷରୁ ଦୀପ୍ତି ଶର୍ମା ଓ ନନ୍ଦନୀ ଶର୍ମା ୩ ଲେଖାଏ ଉଇକେଟ ନେଇଥିବା ବେଳେ ଶ୍ରୀ ଚରନି ୨ ଉଇକେଟ ହାତେଇଥିଲେ।

