ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଏସ୍‌ଓପି ଜାରି

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଟ୍ରେନ ଯାତ୍ରୀଙ୍କ ପାଇଁ ଦିଲ୍ଲୀ ଓ ଗୋଆ ସରକାରଙ୍କ ପକ୍ଷରୁ ସୋମବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୁୟର (ଏସ୍‌ଓପି) ଜାରି କରାଯାଇଛି। ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ଟ୍ରେନ୍‌ରେ ଦିଲ୍ଲୀ ଏବଂ ଦେଶର ଯେକୌଣସି ସ୍ଥାନରୁ ଗୋଆ ଯାଉଥିବା ଯାତ୍ରୀଙ୍କ ପାଇଁ ଉଭୟ ସରକାର ଏସ୍‌ଓପି ଜାରି କରିଛନ୍ତି। ଦେଶର ଯେକୌଣସି ସ୍ଥାନରୁ ଗୋଆର କୌଣସି ଷ୍ଟେଶନକୁ ଯାଉଥିବା ଯାତ୍ରୀ ଗୋଆରେ ପ୍ରବେଶ କରିବାର ୭୨ଘଣ୍ଟା ମଧ୍ୟରେ ଆର୍‌ଟି-ପିସିଆର୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଦୁଇ ଡୋଜ୍‌ କୋଭିଡ୍‌ ଟିକା ନେଇଥିବା ପ୍ରମାଣପତ୍ର ଦର୍ଶାଇବା ଜରୁରୀ। ତେବେ ଗୋଆ ବାସିନ୍ଦା, କାମ ପାଇଁ ଗୋଆରେ ପ୍ରବେଶ କରୁଥିବା ବ୍ୟକ୍ତି କାର୍ଯ୍ୟ ପ୍ରମାଣପତ୍ର କିମ୍ବା ନିଯୁକ୍ତିଦାତାଙ୍କଠାରୁ ମିଳିଥିବା ଚିଠି ଦେଖାଇ ଯାଇପାରିବେ। ମେଡିକାଲ ସେବା ଭଳି ଜରୁରିକାଳୀନ ସେବା ପାଇଁ ନିୟୋଜିତ ବ୍ୟକ୍ତିଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି। ସେହିଭଳି ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ଦିଲ୍ଲୀକୁ ଯାଉଥିବା ଟ୍ରେନ୍‌ଗୁଡିକର ଯାତ୍ରୀଙ୍କୁ ସମ୍ପୃକ୍ତ ଜିଲା ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ଚିହ୍ନଟ ସରକାରୀ କ୍ୱାରାଣ୍ଟାଇନ୍‌ କିମ୍ବା ଦେୟଯୁକ୍ତ କ୍ୱାରାଣ୍ଟାଇନ୍‌ରେ ବାଧ୍ୟତାମୂଳକ ଭାବେ ୧୪ଦିନ ପାଇଁ ରହିବାକୁ ପଡ଼ିିବ। ଯଦି କୌଣସି ବ୍ୟକ୍ତିଙ୍କର ଘର କ୍ୱାରଣ୍ଟାଇନ୍‌ ପାଇଁ ଉପଯୁକ୍ତ ବ୍ୟବସ୍ଥା ନ ଥାଏ, ତେବେ ସେ ୭ଦିନ ପାଇଁ ସରକାରୀ ସ୍ବୀକୃତିପ୍ରାପ୍ତ ହୋଟେଲରେ ଦେୟଯୁକ୍ତ କ୍ୱାରାଣ୍ଟାଇନ୍‌ ଚୟନ କରିପାରିବେ। କୌଣସି ପ୍ରକାର ପ୍ରମାଣପତ୍ର ଦେଖାଇ ନ ପାରିବା ବ୍ୟକ୍ତିଙ୍କୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କ୍ୱାରାଣ୍ଟାଇନ୍‌ ସମ୍ବନ୍ଧୀୟ ପ୍ରୋସିଡୁୟର ବା ଗାଇଡ୍‌ଲାଇନ ଅନୁପାଳନ କ୍ଷେତ୍ରରେ ୭ଦିନ ସରକାରୀ କୋଭିଡ୍‌ କେନ୍ଦ୍ରରେ ରଖାଯିବ ବୋଲି ସୂଚନା ଦିଆଯାଇଛି।