କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା: କ୍ରୀଡ଼ା ଶିକ୍ଷକ ନିଲମ୍ବିତ,ବିଇଓ- ଡିଇଓଙ୍କ ବିରୋଧରେ…

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ)- କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଏବଂ ବିଭାଗରେ ଆର୍ଥିକ ଅନିୟମିତତା ଅଭିଯୋଗ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ମାମଲାରେ ଗିରଫ ହୋଇ ବରଗଡ଼ ଜିଲା କାରାଗାରରେ ରହିଥିବା ବରପାଲି ବ୍ଲକ ସତଲମା ହାଇସ୍କୁଲର ଶାରୀରିକ ଶିକ୍ଷା ଶିକ୍ଷକ(ପିଇଟି) ତଥା ବରପାଲି ଥାନା ବିଶିପାଲି ଗ୍ରାମର ସମୀର କୁମାର ପାଣିଗ୍ରହୀ(୫୧)ଙ୍କୁ ଜିଲାପାଳ ଆଦିତ୍ୟ ଗୋୟଲ ନିଲମ୍ବିତ କରିଛନ୍ତି। ସେହିପରି ଗିରଫ ହୋଇଥିବା ଅନ୍ୟ ୨ ଅଭିଯୁକ୍ତ ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ତଥା ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା କନକତୋରା ଗ୍ରାମର ମୂଳ ବାସିନ୍ଦା ସୁରେନ୍ଦ୍ର କୁମାର ସାହୁ(୪୫), ଜିଲା ଶିକ୍ଷା ଅଧିକାରୀ(ଡିଇଓ) ତଥା ବରଗଡ଼ ପୌର ପରିଷଦ ଅଧିନ ୱାର୍ଡ଼ ନଂ-୮ ଖଜୁରଟିକ୍ରାର ଜ୍ୟୋତିକାନ୍ତ ସାହୁ(୪୫)ଙ୍କ ବିରୋଧରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛି।

ପ୍ରକାଶ ଥାଉ କି, ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା, କ୍ଷମତାର ଅପବ୍ୟବହାର ଏବଂ ବେଆଇନଭାବେ ଅନୁଗ୍ରହ ଗ୍ରହଣ ଅଭିଯୋଗରେ ଅଭିଯୁକ୍ତ କ୍ରୀଡ଼ା ଶିକ୍ଷକ ପାଣିଗ୍ରାହୀ, ବିଇଓ ସାହୁ ଏବଂ ଡିଇଓ ସାହୁ ଗତ ୩୦ତାରିଖରୁ ବରଗଡ଼ ଟାଉନ ଥାନା ପୋଲିସ ଦ୍ୱାରା ଗିରଫ ହୋଇ କାରାଗାରରେ ରହିଛନ୍ତି। ତାଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ଭାରତୀୟ ନ୍ୟାୟ ସଂହିତା(ବିଏନଏସ୍‌)ର ଧାରା ୭୫/୭୯/୩୦୮/୨୦୧/୩୫୧(୨),(୩),(୫)/୩(୧) ଏବଂ କର୍ମକ୍ଷେତ୍ରରେ ମହିଳା ମାନଙ୍କ ଯୌନ ଉତ୍ପୀଡ଼ନ(ନିବାରଣ, ନିଷେଧ ଓ ପ୍ରତିକାର) ଅଧିନିୟମ ୨୦୧୩ରେ ଏକ ମାମଲା(ନଂ-୨୨୯/୨୦୨୬) ରୁଜୁ ହୋଇଛି।

Dharitri – Odisha’s No.1 Odia Daily

Share