ଟେନସା,୧୩ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ନିଂ (Red Warning) ଜାରି କରିଛି ପାଣିପାଗ ବିଭାଗ । ତେବେ ପ୍ରବଳ ବର୍ଷାରେ କୋଇଡା ବ୍ଲକରେ ସ୍ଥିତି ସଂଘାତିକ ହୋଇପଡ଼ିଛି । ଆଜି ସକାଳୁ ଲଗାଣ ବର୍ଷା ଫଳରେ କୋଇଡା ବ୍ଲକ ଅନ୍ତର୍ଗତ କେର୍କେଟା ସାହି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ଉପଯୁକ୍ତ ନିଷ୍କାସନ ବ୍ୟବସ୍ଥା ନଥିବାରୁ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି, ଯାହାଫଳରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଏବେ ଚାରିପାଖରେ ପାଣି ଘେରରେ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି।
ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ, କେର୍କେଟା ସାହି ଦେଇ କିଛି ବର୍ଷ ପୂର୍ବରୁ ଗୋଟିଏ ପ୍ରାକୃତିକ ନାଳ ପ୍ରବାହିତ ହେଉଥିଲା। ଯାହା ଦେଇ ଅଞ୍ଚଳର ସମସ୍ତ ବର୍ଷା ଜଳ ସହଜରେ ବାହାରକୁ ନିଷ୍କାସିତ ହୋଇଯାଉଥିଲା। ହେଲେ ଗତବର୍ଷ ଏହି ନାଳ ଥିବା ଜାଗାରେ ନିୟମାନୁସାରେ ନୂଆ ଘରସବୁ ନିର୍ମାଣ ହେବା ଫଳରେ ପୁରୁଣା ନାଳଟି ସମ୍ପୂର୍ଣ୍ଣ ପୋତି ହୋଇଯାଇଛି । ନାଳ ବନ୍ଦ ହୋଇଯିବା ପରେ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ପାଇଁ ବିକଳ୍ପ ନାଳି କିମ୍ବା ଡ୍ରେନେଜ୍ ବ୍ୟବସ୍ଥା କରାଯାଇନାହିଁ । ଫଳରେ ଏବେ ବର୍ଷା ଜଳ ଯିବା ପାଇଁ ଆଉ କୌଣସି ବାଟ ନଥିବାରୁ ସମ୍ପୂର୍ଣ୍ଣ ବର୍ଷା ପାଣି ସାହି ଭିତରେ ଜମି ରହି ଏହି ସଂଘାତିକ ସ୍ଥିତି ସୃଷ୍ଟି କରିଛି । ଗ୍ରାଉଣ୍ଡ ଜିରୋରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ହଠାତ୍ ପାଣିର ସ୍ରୋତ ସାହି ଭିତରକୁ ପଶିବା ଆରମ୍ଭ କରିଥିଲା। ଲୋକେ କିଛି ବୁଝିବା ପୂର୍ବରୁ ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମି ଯାଇଥିଲା। ଫଳରେ ଘରେ ରଖାଯାଇଥିବା ଚାଉଳ, ଆଟା, ଡାଲି ପରି ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟସାମଗ୍ରୀ ଭିଜି ନଷ୍ଟ ହୋଇଯାଇଥିବା ବେଳେ ବାସନକୁସନ, ଲୁଗାପଟା ଓ ବିଦ୍ୟୁତ୍ ଉପକରଣ ଭାସିଯାଇଛି ।
ବହୁ ଗରିବ ପରିବାରର ବର୍ଷକର ସଞ୍ଚିତ ଖାଦ୍ୟ ପାଣିରେ ମିଶିଯିବା ପରେ ଏବେ ଚୁଲି ଜଳିବା ମଧ୍ୟ ମୁସ୍କିଲ୍ ହୋଇପଡ଼ିଛି। ବର୍ଷା ଜଳ ସାଙ୍ଗକୁ ଏବେ ଆରମ୍ଭ ହୋଇଛି ବିଷାକ୍ତ ସରୀସୃପଙ୍କ ଭୟ। ପାଣି ସହିତ ବହୁ ସାପ, ବିଛା ଓ ଅନ୍ୟାନ୍ୟ ଜୀବଜନ୍ତୁ ଲୋକଙ୍କ ଘର, ଖଟ ଓ ଚାଳ ଉପରକୁ ଚଢ଼ିଯାଉଛନ୍ତି। ଛୋଟ ପିଲା, ଗର୍ଭବତୀ ମହିଳା ଓ ବୃଦ୍ଧାବୃଦ୍ଧମାନଙ୍କୁ ଧରି ଗ୍ରାମବାସୀ ଚୌକି, ଖଟ ଓ ଉଚ୍ଚ ସ୍ଥାନରେ ଛିଡ଼ା ହୋଇ ଭୟଭୀତ ଅବସ୍ଥାରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଅଞ୍ଚଳରେ ପାନୀୟ ଜଳ ଓ ବିଦ୍ୟୁତ ସେବା ବ୍ୟାହତ ହୋଇଥିବାରୁ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି ।