ଦାରିଙ୍ଗବାଡ଼ିର ଏକାଧିକ ଗାଁ ପ୍ରଭାବିତ: କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ସରପଞ୍ଚ

ଦାରିଙ୍ଗବାଡ଼ି, ୨୯।୧୦ (ଅରୁଣ ସାହୁ):ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦାରିଙ୍ଗବାଡ଼ି ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି। ପ୍ରବଳ ବର୍ଷା ଯୋଗୁ ଶ୍ରୀପଙ୍କା ଗ୍ରାମ ରାସ୍ତାର ଶ୍ରାମମାହା ପଡ଼ାରୁ ଡେଣ୍ଡେଡ଼ିକୁ ସଂଯୋଗ କରୁଥିବା ବ୍ରିଜ ଧୋଇଯାଇଛି। ଫଳରେ ଉଭୟ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ଦାରିଙ୍ଗବାଡ଼ି ସରପଞ୍ଚ ଦୀପକ କୁମାର ପ୍ରଧାନ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ତାଙ୍କ ପଞ୍ଚାୟତରେ ବାତ୍ୟା ପ୍ରଭାବରେ ଏକାଧିକ ଘର ଭାଙ୍ଗିଥିବା ନେଇ ଅଭିଯୋଗ ମିଳିଥିବା ସେ କହିଛନ୍ତି।
ବ୍ରିଜ ଧୋଇଯିବା ଯୋଗୁ ଅଞ୍ଚଳର ଚାଷୀମାନେ ନିଜ ଚାଷ ଜମିକୁ ଯିବାରେ ସମସ୍ୟାର ସମ୍ମୁଖୀନ ହେବେ। ସେହିପରି ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାତାୟାତ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସମସ୍ୟା ଉପୁଜିବ ବୋଲି ଗ୍ରାମବାସୀ ସରପଞ୍ଚଙ୍କୁ ଜଣାଇଛନ୍ତି। ବର୍ଷା ଛାଡ଼ିଯାଇଥିଲେ ମଧ୍ୟ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଓ ଯୋଗାଯୋଗ ସମସ୍ୟା ଚିନ୍ତାଜନକ ବୋଲି ସରପଞ୍ଚ କହିଛନ୍ତି। ବ୍ରିଜ୍‌ର ମରାମତି ଓ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଲିଖିତ ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି।

ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ପରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ ଓ ସରପଞ୍ଚ କ୍ଷତିଗ୍ରସ୍ତ ବ୍ରିଜ ପରିଦର୍ଶନ କରିଥିଲେ। ଏଥିସହ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ବିଡିଓଙ୍କ ସହ ଆବଶ୍ୟକ ପଦକ୍ଷେପ ନେବା ନେଇ ଆଲୋଚନା କରିଛନ୍ତି। କ୍ଷତିଗ୍ରସ୍ତ ବ୍ରିଜ୍‌ର ମରାମତି ଓ ଯୋଗାଯୋଗ ବ୍ୟବସ୍ଥାର ପୁନଃସ୍ଥାପନ ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 

Share