ଦେବଗଡ଼,୧।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖଇରପାଲି ଗ୍ରାମର ସୁରେନ୍ଦ୍ର ବିଶ୍ୱାଳ (୩୮)। ଗତ ଜୁଲାଇ ୨୩ ତାରିଖ ସକାଳ ପ୍ରାୟ ୮ଟାରେ ନାବାଳିକା ଜଣଙ୍କ ନିଜ ଘରେ ଥିଲେ। ଏହି ସମୟରେ ସୁରେନ୍ଦ୍ର ତାଙ୍କ ଘର ଭିତରେ ପଶି ତାଙ୍କୁ ବଳାତ୍କାର କରିଥିଲେ। ହେଲେ ନାବାଳିକା ଚିତ୍କାର କରିବାରୁ ତାଙ୍କ ନାବାଳକ ଭାଇ ଉଠି ପଡିଥିଲେ। ଫଳରେ ଅଭିଯୁକ୍ତ ସେଠାରୁ ଖସି ପଳାଇଥିଲେ।
ପରବର୍ତ୍ତୀ ସମୟରେ ସୁରେନ୍ଦ୍ର ପୀଡିତାଙ୍କ ପରିବାର ଲୋକଙ୍କୁ ବାରମ୍ବାର ଧମକ ଦେବା ସହ ଘଟଣା ବିଷୟରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ କହିଥିଲେ। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ରବିବାର କୁଣ୍ଢେଇଗୋଳା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ପରେ ଖଇରପାଲି ଫାଣ୍ଡି ଅଧିକାରିଣୀ ବିଷ୍ଣୁପ୍ରିୟା ରଣାଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା।