ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗାଁ ଓ ମୁଖ୍ୟ ରାସ୍ତାକଡ଼ରେ ଥିବା ବିଭିନ୍ନ ଦୋକାନରୁ ବୁଧବାର ବିଳମ୍ବିତ ରାତିରେ ସିରିଜ୍ ଚୋରି ହୋଇଥିବା ଜଣାପଡ଼ିଛି। ଗୋଟିଏ ରାତିରେ ଏଭଳି ଏକାଧିକ ସ୍ଥାନରେ ଚୋରି ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଦେଖାଳି ଗାଁ ଛକ ମୁଖ୍ୟରାସ୍ତା କଡ଼ରେ ଥିବା ଦୁର୍ଯୋଧନ ବେହେରାଙ୍କ ହାଡ଼ୱେର ଓ ଜୋତା ଦୋକାନର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କିଛି ଖୁଚୁରା ଟଙ୍କା ସମେତ ବିଭିନ୍ନ ବ୍ରାଣ୍ଡର ମୂଲ୍ୟବାନ ଜୋତା ଚୋରି କରି ନେଇଛନ୍ତି। ସେହିପରି ନିକଟରେ ଥିବା ଧୋବା ପ୍ରଧାନଙ୍କ ପାନ ଦୋକାନରୁ କୋଲ୍ଡ ଡ୍ରିଙ୍କ୍ସ ଏବଂ ବିସ୍କୁଟ ଆଦି ଲୁଟ୍ ହୋଇଥିବା ଜଣାପଡ଼ିଛି।
ଚୋରମାନେ କେବଳ ଦୋକାନ ନୁହେଁ, ବରଂ ଗ୍ରାମର କନ୍ତାରୁ ବେହେରା ଓ ବୁଲୁ ପ୍ରଧାନଙ୍କ ଘରର ବାରିପଟ କବାଟ ମଧ୍ୟ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ମାତ୍ର ସେହି ସମୟରେ ପରିବାର ଲୋକଙ୍କ ନିଦ ଭାଙ୍ଗିଯିବାରୁ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ।
ଏହି ଚୋରି ଘଟଣା ସମ୍ପର୍କରେ ଥାନାରେ କୌଣସି ଲିଖିତ ଏତଲା ହୋଇ ନ ଥିବା କେ. ନୂଆଗାଁ ଥାନା ଆଇଆଇସି ବିଶ୍ୱଜିତ ନାୟକ ସୂଚନା ଦେଇଛନ୍ତି। ତଥାପି ଗ୍ରାମରେ ଚୋରି ବୃଦ୍ଧି ପାଉଥିବାରୁ ପୋଲିସ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।