ଉଗାଣ୍ଡାରେ ସିରିଜ ବୋମା ବିସ୍ଫୋରଣ: ୩ ଓଡ଼ିଆ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ସୁରକ୍ଷିତ

ଭୁବନେଶ୍ୱର, ୧୭ା୧୧(କ୍ରୀଡ଼ା ପ୍ରତିନିଧି):ଉଗାଣ୍ଡାର କାମ୍ପାଲା ସହରରେ ମଙ୍ଗଳବାର ସିରିଜ ବୋମା ବିସ୍ଫୋରଣ ହୋଇଛି। ତେବେ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଖେଳିବା ପାଇଁ ସେଠାରେ ଥିବା ଭାରତୀୟ ଦଳର ସଦସ୍ୟମାନେ ସୁରକ୍ଷିତ ଅଛନ୍ତି। ଭାରତୀୟ ପାରା ବ୍ୟାଡ୍‌ମିଣ୍ଟନ ଦଳ କାମ୍ପାଲାର ହଲିଡେ ଏକ୍ସପ୍ରେସ୍‌ ହୋଟେଲରେ ରହୁଛନ୍ତି। ହୋଟେଲଠାରୁ ୧୦୦ ମିଟର ଦୂରରେ ପୂର୍ବାହ୍ନ ପ୍ରାୟ ୧୦ଟା ୩୦ ମିନିଟରେ ସିରିଜ ବୋମା ବିସ୍ଫୋରଣ ହୋଇଥିଲା। ସେତେବେଳେ କେତେକ ଭାରତୀୟ ଖେଳାଳି ଷ୍ଟାଡିୟମ୍‌କୁ ମ୍ୟାଚ୍‌ ଖେଳିବାକୁ ଯାଇଥିଲେ। ଅନ୍ୟ ଖେଳାଳିମାନେ ହୋଟେଲରେ ଥିଲେ ମଧ୍ୟ କାହାର କ୍ଷତି ହୋଇନାହିଁ। ନିରାପତ୍ତା ଦାୟିତ୍ୱରେ ଥିବା ଅଧିକାରୀମାନେ ସୁରକ୍ଷିତ ଭାବେ ବସ୍‌ରେ ଖେଳାଳିଙ୍କୁ ହୋଟେଲରୁ ଷ୍ଟାଡିୟମକୁ ନେବାରେ ସହାୟତା କରୁଛନ୍ତି। ଭାରତୀୟ ଦଳରେ ୩ ଜଣ ଓଡ଼ିଆ ଖେଳାଳି ସାମିଲ ଅଛନ୍ତି। ସେମାନେ ହେଲେ ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ପ୍ରମୋଦ ଭଗତ, ଦୀପ୍‌ ରଞ୍ଜନ ବିଶୋଇ ଓ ଜି .ଦିଲେଶ୍ୱର ରାଓ। ଏମାନଙ୍କର କିଛି କ୍ଷତି ହୋଇ ନ ଥିବା ଜଣାଯାଇଛି। ”ଆମେ ସୁରକ୍ଷିତ ଅଛୁ, ଚିନ୍ତା କରିବାର କିଛି ନାହିଁ। ଆମେ ବିଶେଷ କିଛି ଅନୁଭବ କରିପାରିନାହୁଁ। କିଛି ସମୟ ପାଇଁ ହଇଚଇ ସୃଷ୍ଟି ହୋଇଥିଲେ ହେଁ ଆମେ ସମସ୍ତେ ସୁରକ୍ଷିତ ଅଛୁ। ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହେଉଛି“ ବୋଲି ଓଡ଼ିଶାର ପ୍ରଥମ ଖେଳାଳି ଭାବେ ମେଜର ଧ୍ୟାନଚାନ୍ଦ ଖେଳରନତ୍ ପୁରସ୍କାର ପାଇଥିବା ପ୍ରମୋଦ ପ୍ରକାଶ କରିଛନ୍ତି। ପ୍ରମୋଦଙ୍କ ଇଭେଣ୍ଟ ବୁଧବାର ଆରମ୍ଭ ହେବ।
ପାରା ବ୍ୟାଡ୍‌ମିଣ୍ଟନ ଇଣ୍ଡିଆ ପକ୍ଷରୁ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତ ଖେଳାଳି ସୁରକ୍ଷିତ ଥିବା ସୂଚନା ଦିଆଯାଇଛି।