ଗଜପତିରେ ଚାଞ୍ଚଲ୍ୟ: ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା

ମୋହନା,୧୦।୧(ମନ୍ମଥ ମିଶ୍ର) ମଦ ପିଇବା ପରେ ବଚସା ହୋଇ ଏକ ହତ୍ୟାକାଣ୍ଡ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ଏକ ନିଛାଟିଆ ରାସ୍ତାରେ ଘରକୁ ଫେରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାରିଆବନ୍ଧ ଗାଁ ନିକଟସ୍ଥ ଏକ ମହୁଲ ଗଛ ତଳୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ପରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଡେକାସିନ୍ଧବା ଗାଁର ବୃଦ୍ଧ ବଳରାମ ଫେତସିଂ(୬୧ ) ନିକଟସ୍ଥ ଜଙ୍ଗଲ ମଧ୍ୟରେ ଥିବା ରଙ୍ଗମାଟିଆ ଗାଁକୁ ରବିବାର ଅପରାହ୍ନରେ ମଦ ପିଇବାକୁ ଯାଇଥିଲେ। ସେଠାରେ ଚୋରାରେ ମହୁଲି ମଦ ବିକ୍ରି ହେଉଥିବା ବେଳେ ମଦ ପିଇବା ପରେ କିଛି ଲୋକଙ୍କ ସହ ତାଙ୍କର ବଚସା ହୋଇଥିବା ସନ୍ଦେହ କରାଯାଉଛି।

ପରବର୍ତ୍ତି ସମୟରେ ନିଛାଟିଆ ରାସ୍ତାରେ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଚନ୍ଦ୍ରଗିରି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ୍‌ ପହଞ୍ଚି ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଛି। ହତ୍ୟାକାଣ୍ଡରେ କାହାର ସମ୍ପୃକ୍ତି ରହିଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସର ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି।

Share