ବ୍ରହ୍ମପୁର, ୧/୧୧ (ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଡକ୍ରସ ପାଣ୍ଠିରୁ ୮.୬୩ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ (ଏସ୍ଆର୍ଏ) ସଦାଶିବ ପ୍ରଧାନଙ୍କୁ ରବିବାର ଗିରଫ କରିଛି। ସେ ବର୍ତ୍ତମାନ ସୁରଡ଼ା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି।
ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ନଜରତ ବିଭାଗରେ ୨୦୨୩ ଡିସେମ୍ବରରୁ ୨୦୨୫ ଅଗଷ୍ଟ ପର୍ଯ୍ୟନ୍ତ ସରକାରୀ ପାଣ୍ଠିର ଅର୍ଥ ଜମା ନହେବା ସମ୍ପର୍କରେ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଓ ଯାଞ୍ଚ ଆରମ୍ଭ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଉକ୍ତ ସମୟରେ ସଦାଶିବ ପ୍ରଧାନ ନଜରତ ବିଭାଗର ଦାୟିତ୍ୱରେ ଥିଲେ। ସେ ସରକାରୀ ରସିଦ ବହି ଜରିଆରେ ରେଡକ୍ରସ ପାଣ୍ଠି ବାବଦରେ ମୋଟ ୮ ଲକ୍ଷ ୬୩ ହଜାର ୨୦୦ ଟଙ୍କା ଆଦାୟ କରିଥିଲେ। କିନ୍ତୁ ଏହି ଅର୍ଥକୁ ଛତ୍ରପୁରସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ଶାଖାର ନିର୍ଦ୍ଦିଷ୍ଟ ଖାତାରେ ଜମା ନକରି ବ୍ୟକ୍ତିଗତ ସ୍ୱାର୍ଥରେ ହେରଫେର କରିଥିବା ଅଭିଯୋଗ ହୋଇଛି।
ଗିରଫ ପରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି। ଏହି ଘଟଣାକୁ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍ ନଂ. ୧୩/୨୦୨୬ ରୁଜୁ ହୋଇଛି। ଏଥିରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୧୩(୨) ସହ ୧୩(୧)(ଏ) ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍), ୨୦୨୩ର ଧାରା ୩୧୬(୫) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Dharitri – Odisha’s No.1 Odia Daily