ରିଷିଡା,୧୬।୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବରିଷ୍ଠ ସାମ୍ବାଦିକ, ତଥା ସାହିତି୍ୟକ ନରୋତ୍ତମ ସେଲମାଙ୍କୁ ମର୍ଯ୍ୟାଦାଜନକ ‘ବିଜୟ ଦ୍ୱିବେଦୀ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଛି। କେସିଙ୍ଗାଠାରେ କଳାହାଣ୍ଡି ଜିଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଆୟୋଜିତ ଜିଲାସ୍ତରୀୟ ଜାତୀୟ ପ୍ରେସ ଦିବସ ସମାରୋହରେ ତାଙ୍କୁ ଏହି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘଦିନର ନିଷ୍ଠାପର ସେବା, ସାମାଜିକ ଅବଦାନ ଓ ସାହିତ୍ୟ ସାଧନାକୁ ସ୍ବୀକୃତି ଜଣାଇ ଶ୍ରୀ ସେଲମାଙ୍କୁ ଅତିଥିମାନେ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।
ଏହି ସମାରୋହରେ କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ଅତିରିକ୍ତ ଜିଲାପାଳ ତନ୍ମୟ ଦରାତ୍ତ୍ବାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉଭୟ ଅତିଥି ଶ୍ରୀ ସେଲମାଙ୍କୁ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ସାମ୍ବାଦିକ ୟୁନିଅନର ସଭାପତି କମ୍ବୁପାଣି ମିଶ୍ର, ସାଧାରଣ ସମ୍ପାଦକ ସନ୍ତୋଷ ସିଂହଦେଓଙ୍କ ସମେତ ଜିଲ୍ଲାର ବହୁ କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
ଏହି ସମ୍ମାନ ପାଇଁ ପରବର୍ତ୍ତୀ ସମୟରେ କର୍ଲାମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀ ସେଲମାଙ୍କୁ ଉଚ୍ଛସ୍ବିତ ସମ୍ବର୍ଦ୍ଧନା ଜଣାଯାଇଛି। ତାଙ୍କର ଏହି ସଫଳତାକୁ ନେଇ ବୁଦ୍ଧିଜୀବୀ ମହଲରେ ଖୁସିର ପରିବେଶ ସୃଷ୍ଟି ହୋଇଛି।