ଆରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା

ବାଲେଶ୍ୱର,୫।୧: ରାଜ୍ୟ ସରକାର ଆର୍ଥିକ ଅନଗ୍ରସର ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ୨୦୧୬ରେ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବାଲେଶ୍ବର ରେଳ ଷ୍ଟେଶନରୁ ମଧ୍ୟାହ୍ନରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର ଆଦି ୫ ଜିଲାର ୯୭୦ଜଣ ତୀର୍ଥଯାତ୍ରୀ ଓ ୩୦ଜଣ ଏସ୍କର୍ଟ ଅଫିସରଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ ଉଜ୍ଜୈନ ଓମକାରେଶ୍ୱର ତୀର୍ଥସ୍ଥଳୀକୁ ଯାତ୍ରା କରିଛି।

ଏନେଇ ବାଲେଶ୍ବର ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ତୀର୍ଥଯାତ୍ରୀଙ୍କୁ ଷ୍ଟେଶନ ଅଣାଯାଇଥିଲା। ଏହି ଅବସରରେ ପାରମ୍ପରିକ ନୃତ୍ୟ ଗୀତ ମାଧ୍ୟମରେ ତୀର୍ଥଯାତ୍ରୀଙ୍କୁ ସ୍ବାଗତ କରି ଷ୍ଟେଶନ ଭିତରକୁ ନିଆଯାଇଥିଲା। ଏପରି କି ଆଇଆରସିଟିସି ପକ୍ଷରୁ ତୀର୍ଥଯାତ୍ରୀଙ୍କ ଫୁଲ, ଚନ୍ଦନ ଓ ମାଳା ପିନ୍ଧା ଯାଇଥିଲା। ଯାତ୍ରା ନିମନ୍ତେ ତୀର୍ଥଯାତ୍ରୀଙ୍କ ପରିଚୟ ପତ୍ର, ରେଳ ଟିକେଟ ଓ ବ୍ୟବହାର୍ଯ୍ୟ ସାମଗ୍ରୀ ଥିବା ଏକ କିଟ ପ୍ରଦାନ କରାଯାଇଥିଲା।

ଯାତ୍ରା ସମୟରେ ସମସ୍ତ ତୀର୍ଥଯାତ୍ରୀଙ୍କୁ ଆଇଆରସିଟିସି ପକ୍ଷରୁ ରହିବା, ଯିବା ଆସିବା, ଖାଦ୍ୟ ପାନୀୟର ବ୍ୟବସ୍ଥା ସହ ଗସ୍ତ ଜଗୁଆଳି, ପଥ ପ୍ରଦର୍ଶକ, ଯାତ୍ରୀବୀମା ସହ ଚିକିତ୍ସା ସେବା ଆଦି ଯୋଗାଇ ଦିଆଯିବ।

ଏହି ଅବସରରେ ବାଲେଶ୍ବର ଷ୍ଟେଶନର ୧ ନମ୍ବର ପ୍ଲାଟଫର୍ମ ନିକଟରେ ଏକ ସଭାର ଆୟୋଜନ କରାଯାଇଥିଲା। ଅତିଥି ଭାବେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସ, ବାଲେଶ୍ବର ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି, ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ବାଲେଶ୍ବର ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ତୀର୍ଥଯାତ୍ରାର ସଫଳତା କାମନା କରିବା ସହିତ ଆନୁଷ୍ଠାନିକ ଭାବେ ଫିତା କାଟି ଯାତ୍ରାର ଶୁଭାରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବାର୍ତ୍ତା ମାଧ୍ୟମରେ ତୀର୍ଥଯାତ୍ରାର ସଫଳତା କାମନା କରିବା ସହ ତୀର୍ଥଯାତ୍ରୀଙ୍କ ଶୁଭ କାମନା କରିଥିଲେ। ଶେଷରେ ଅତିଥିମାନେ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ତୀର୍ଥଯାତ୍ରୀ ୧୧ତାରିଖରେ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।