Categories: ଖେଳ

ଟେଷ୍ଟୋଷ୍ଟେରୋନ ନିୟମ: ଲମ୍ବା ଲଢେଇରେ ହାରିଲେ ସିମେନ୍ୟା

ଜେନିଭା,୧୦।୯ (ଏପି): ଦୁଇଥର ଅଲିମ୍ପିକ୍‌ ଚାମ୍ପିୟନ ଦକ୍ଷିଣ ଆଫ୍ରିକା ମିଡିଲ ଡିଷ୍ଟାନ୍ସ ରନର କାଷ୍ଟର ସିମେନ୍ୟା ଏକ ଲମ୍ବା ତଥା ଗୁରୁତ୍ୱପୂର୍ଣ୍ଣ ଆଇନଗତ ଲଢେଇରେ ପରାସ୍ତ ହୋଇଛନ୍ତି। ପୁରୁଷ ହରମୋନ ଟେଷ୍ଟୋଷ୍ଟେରୋନ ନିୟମ ନେଇ ସେ ଏହି ଲଢେଇ ସୁଇଜରଲାଣ୍ଡ ସୁପ୍ରିମ୍‌କୋର୍ଟରେ ଦୀର୍ଘବର୍ଷ ଧରି ଲଢି ଆସୁଥିଲେ। ଟ୍ରାକ୍‌ ଆଣ୍ଡ ଫିଲ୍ଡ୍‌ ନିୟମ ଅନୁସାରେ ଯେଉଁ ମହିଳା ଆଥଲେଟଙ୍କ ଶରୀରରେ ଆବଶ୍ୟକଠାରୁ ଅଧିକ ଟେଷ୍ଟୋଷ୍ଟେରୋନ ରହିଥିବ ସେମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ନାହିଁ। ଫଳରେ ସିମେନ୍ୟା ଆସନ୍ତାବର୍ଷ ଟୋକିଓ ଅଲିମ୍ପିକ୍ସରେ ୮୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିପାରିବେ ନାହିଁ। ଏଥିସହିତ ସେ ୪୦୦ମି ଓ ଏକ ମାଇଲ୍‌ ମଧ୍ୟରେ କୌଣସି ବିଶ୍ୱସ୍ତରୀୟ ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ। ତେବେ ଆସ୍ତ୍ରୋପଚାର ବା ଚିକିତ୍ସା ମାଧ୍ୟମରେ ତାଙ୍କର ଟେଷ୍ଟୋଷ୍ଟେରୋନ ମାତ୍ରା କମାଇଲେ ସେ ଅଂଶଗ୍ରହଣ କରିପାରିବେ ବୋଲି ସର୍ତ୍ତ ରଖାଯାଇଛି।
ଗତବର୍ଷ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର ସ୍ପୋଟର୍‌ସ (କାସ୍‌)ର ରୁଲିଂ ବିରୋଧରେ ସେ ସୁପ୍ରିମକୋର୍ଟରେ ଅପିଲ କରିଥିଲେ। ତେବେ ଜଜ୍‌ମାନେ ସିମେନ୍ୟାଙ୍କ ଏହି ଅପିଲକୁ ଖାରଜ କରିଛନ୍ତି ବୋଲି ସୁଇଜରଲାଣ୍ଡ ସୁପ୍ରିମକୋର୍ଟ କହିଛନ୍ତି। ଟ୍ରାକ୍‌ ଆଣ୍ଡ ଫିଲ୍ଡର ନିୟମ ଅନୁସାରେ ଯେଉଁ ମହିଳା ଆଥଲେଟଙ୍କ ଶରୀରରେ ଏହି ହରମୋନ ଅଧିକ ରହିଥିବ ସେମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ। ଏହି ନିୟମୁ କାସ୍‌ ବଜାୟ ରଖିଥିଲା ଓ ଏବେ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ୭୧ ପୃଷ୍ଠା ସମ୍ବଳିତ ରାୟରେ ଏହାକୁ ସମର୍ଥନ କରିଛନ୍ତି।
ସୁପ୍ରିମକୋର୍ଟଙ୍କ ରାୟରେ ନିରାଶ ହୋଇଛି ବୋଲି ସେ କହିଛନ୍ତି। ଏଥି ସହିତ ସେ ଓ୍ବାଲର୍‌ଡ ଆଥଲେଟିକ୍ସ ବିରୋଧରେ ସେ ଅସନ୍ତୋଷ ଜାହିର କରିଛନ୍ତି। ୨୦୧୯ ମେ’ରେ କାସ୍‌ର ୩ ଜଣିଆ ଜଜ୍‌ ୨-୧ରେ ସିମେନ୍ୟାଙ୍କ ଅପିଲକୁ ଖାରଜ କରିଥିଲେ। ଉଲ୍ଲେଖଥାଉ କି, ଟେଷ୍ଟୋଷ୍ଟେରୋନ ହେଉଛି ଏକ ହରମୋନ। ଏହା ମସଲ ଟୋନ୍‌ ଓ ବୋନ୍‌ ମାସ ବଢାଇବାରେ ସହାୟ ହୋଇଥାଏ। ଯଦି ଟେଷ୍ଟୋଷ୍ଟେରୋନ ଇଞ୍ଜେକ୍‌ଶନ ମାଧ୍ୟମରେ ନିଆଯାଏ ଏହା ଡୋପିଂ ଜନିତ ନିଷିଦ୍ଧ ପଦାର୍ଥରୂପେ ବିବେଚିତ ହୋଇଥାଏ। ମହିଳା ଆଥଲେଟଙ୍କ ମାନବିକ ଅଧିକାର ପାଇଁ ମୋର ଲଢେଇ ଜାରି ରହିବ ବୋଲି ସିମେନ୍ୟା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏବେ ସେ କି ନିଷ୍ପତ୍ତି ନେବେ ସେ ନେଇ ସ୍ପଷ୍ଟ କରିନାହାନ୍ତି। ତେବେ ସେ ୧୦୦ କିମ୍ବା ୨୦୦ କିମ୍ବା ଏକ ମାଇଲ୍‌ରୁ ଅଧିକ ଦୂରତା ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ।

Share