Categories: ଖେଳ

ବଡ଼ ଉପଲବ୍ଧି ହାସଲ କଲେ ପୂଜାରା

ନୂଆଦିଲ୍ଲୀ,୨୧।୧: ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଏକ ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ପୂଜାରା ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୦ ହଜାର ରନ ସଂଗ୍ରହ କରିଛନ୍ତି। ଏହାପୂର୍ବରୁ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଏବଂ ରାହୁଲ ଦ୍ରାବିଡ ଏହି ସଫଳତା ହାସଲ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ ପୂର୍ବତନ ଭାରତୀୟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ପ୍ରଥମ ସ୍ଥାନରେ ଅଛନ୍ତି। ଲିଟିଲ ମାଷ୍ଟର ହାରାହାରି ୫୧.୪୬ରେ ୩୪୮ ପ୍ରଥମ ଶ୍ରେଣୀ ମ୍ୟାଚରେ ୨୫୮୩୪ ରନ ସ୍କୋର କରିଥିଲେ। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୮୧ଥର ଶତକ ଅତିକ୍ରମ କରିଥିଲେ।
ଏଥି ସହିତ ସଚିନ ତେନ୍ଦୁଲକର ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୩୧୦ ପ୍ରଥମ ଶ୍ରେଣୀ ମ୍ୟାଚରେ ସଚିନ ତେନ୍ଦୁଲକରଙ୍କ ନାମରେ ୨୫୩୯୬ ରନ ରହିଛି। ମାଷ୍ଟର ବ୍ଲାଷ୍ଟର ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିୟରରେ ୮୧ ଶତକ ହାସଲ କରିଥିଲେ। ଏହା ପରେ ରାହୁଲ ଦ୍ରାବିଡ ତୃତୀୟ ସ୍ଥାନରେ ଅଛନ୍ତି। ଭାରତୀୟ ଦଳର ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ୨୯୮ ପ୍ରଥମ ଶ୍ରେଣୀ ମ୍ୟାଚରେ ୨୩୭୯୪ ରନ ସଂଗ୍ରହ କରିଛନ୍ତି। ୱାଲ ନାମରେ ଜଣାଶୁଣା ରାହୁଲ ଦ୍ରାବିଡ ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିୟରରେ ହାରାହାରି ୫୫.୩୩ ରନ ସ୍କୋର କରିଥିଲେ। ଏହା ବ୍ୟତୀତ ସେ ପ୍ରଥମ ଶ୍ରେଣୀ କ୍ୟାରିୟରରେ ୬୮ଥର ଶତକୀୟ ମାର୍କ ଅତିକ୍ରମ କରିଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ ଚେତେଶ୍ୱର ପୂଜାରା ୨୬୦ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି। ଏଥିରେ ଚେତେଶ୍ୱର ପୂଜାରା ୨୦୦୧୩ ରନ ସ୍କୋର କରିଛନ୍ତି। ପ୍ରଥମ ଶ୍ରେଣୀ ମ୍ୟାଚରେ ଏହି ବ୍ୟାଟ୍ସମ୍ୟାନ ହାରାହାରି ୫୧.୯୬ ରନ ସଂଗ୍ରହ କରିଥିଲେ। ଚେତେଶ୍ୱର ପୂଜାରାଙ୍କର ପ୍ରଥମ ଶ୍ରେଣୀ କ୍ୟାରିୟରରେ ୬୧ ଶତକ ରହିଛି। ଏହି ଚାରିଜଣ ବ୍ୟାଟ୍ସମ୍ୟାନଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୦ ହଜାର ରନ ଅତିକ୍ରମ କରିନାହାଁନ୍ତି। ଏହିପରି ଚେତେଶ୍ୱର ପୂଜାରା ସ୍ବତନ୍ତ୍ର କ୍ଲବରେ ପ୍ରବେଶ କରିଛନ୍ତି।

Share