Categories: ଖେଳ

ଆଇପିଏଲ୍‌ ନିଲାମୀରେ ମଲ୍ଲିକାଙ୍କ ଗୋଟିଏ ଭୁଲ ଲାଗି ୨୦ ଲକ୍ଷର କ୍ଷତି ସହିଲା ଆର୍‌ସିବି

ଦୁବାଇ,୧୯।୧୨: ଆଇପିଏଲ୍‌ ୨୦୨୪ ଲାଗି ମିନି ଅକ୍ସନ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହୋଇଥିଲା। ଏଥର ନିଲାମୀ ପ୍ରକ୍ରିୟା ସଞ୍ଚାଳନ  ଲାଗି ପ୍ରଥମ ଥର ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମଲ୍ଲିକା ସାଗର ଏହି ଭୂମିକା ତୁଲାଇଥିଲେ। ତେବେ ତାଙ୍କ ଦ୍ୱାରା ଏକ ବଡ଼ ଭୁଲ ହୋଇଯାଇଛି। ଏଥିଯୋଗୁ ଆର୍‌ସିବିକୁ ୨୦ ଲକ୍ଷ ଟଙ୍କାର କ୍ଷତି ହୋଇଛି। ଓ୍ବେଷ୍ଟଇଣ୍ଡିଜର ଷ୍ଟାର ଦ୍ରୁତ ବୋଲର ଅଲ୍‌ଜାରୀ ଜୋସେଫଙ୍କ ନିଲାମ ଡକରା ସମୟରେ ଏହା ହୋଇଛି।

ଜୋସେଫଙ୍କ ଉପରେ ନିଲାମ ରାଶି ଡକାଯାଇଥିଲା। ପ୍ରଥମେ ସିଏସ୍‌କେ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ତାଙ୍କୁ ନେବାକୁ ଟକ୍କର ହୋଇଥିଲା। ୩ କୋଟି ଯାଏ ଏହା ପହଞ୍ଚିବା ପରେ ଚେନ୍ନାଇ ହଟିଯାଇଥିଲା। ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌(ଏଲ୍‌ଏସ୍‌ଜି) ଏବଂ ଆର୍‌ସିବି ମଧ୍ୟରେ ନିଲାମ ରାଶି ଡକାଯାଇଥିଲା, ଯାହା ୬.୪୦ କୋଟି ଯାଏ ଆସି ଅଳ୍ପ ସମୟ ଲାଗି ଅଟକିଥିଲା। ଏହି ସମୟରେ ବଡ଼ ଭୁଲ କରିଦେଇଥିଲେ ମଲ୍ଲିକା।

ଆର୍‌ସିବି ପୁଣିଥରେ ଜୋସେଫଙ୍କୁ ନେବା ଲାଗି ଇଚ୍ଛା ପ୍ରକାଶ କରିଥିଲା। ଏଠାରେ ମଲ୍ଲିକା ୬.୬୦ କୋଟି ଟଙ୍କା ଡାକିଥାନ୍ତେ। ହେଲେ ସେ ୬.୮୦ କୋଟି ଟଙ୍କା କହିଦେଇଥିଲେ। ଏହି ନିଲାମ ଡାକରା ୧୧.୫୦ କୋଟିରେ ଆସି ଅଟକିଥିଲା। ଶେଷରେ ଆର୍‌ସିବି ଜୋସେଫଙ୍କୁ କିଣିଥିଲା। ହେଲେ ତାକୁ ୨୦ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ଜୋସେଫଙ୍କର ବେସ୍‌ ପ୍ରାଇସ୍‌ ୧ କୋଟି ରହିଥିଲା। ଆର୍‌ସିବି ତାଙ୍କୁ ୧୧.୫୦ କୋଟି ଦେଇ କିଣିଛି। ଏହାପରେ ସେ ଓ୍ବେଷ୍ଟଇଣ୍ଡିଜର ଦ୍ୱିତୀୟ ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି। ତାଙ୍କ ଆଗରେ ନିକୋଲାସ ପୁରନ୍‌ ଅଛନ୍ତି। ତେବେ ଜୋସେଫ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ ଲାଗି ଖେଳି ସାରିଛନ୍ତି। ପୂର୍ବରୁ ମଧ୍ୟ ଏଭଳି ଭୁଲ ଅନେକ ଥର ଦେଖିବାକୁ ମିଳିଛି। ଗତଥରର ଅକ୍ସନରେ ମଧ୍ୟ ଏଭଳି ହୋଇଥିଲା।

Share