Categories: ଗଞ୍ଜାମ

କ୍ଷତି ସହୁଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ

ବ୍ରହ୍ମପୁର ଅଫିସ,୧୯ ।୬: ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ୫୦ ଲକ୍ଷ ଟଙ୍କା ବ୍ୟୟରେ ମିନାକ୍ଷୀ ନଗରଠାରେ ମିଶନ ଶକ୍ତି ମଲ ନିର୍ମାଣ କରାଯାଇଛି। ଯେଉଁଠାର ଆଚାର ପ୍ରସ୍ତୁତ କରିବା ନିମନ୍ତେ ବିଘ୍ନେଶ୍ୱର ସ୍ବୟଂ ସହାୟକ ଗୋଷ୍ଠୀ-୨କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେଠାରେ ୧୦ ମହିଳା କର୍ମଚାରୀ ନିୟୋଜିତ ରହିଛନ୍ତି। ଏହି କେନ୍ଦ୍ରଟି ୨୦୨୧ ଏପ୍ରିଲରେ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୦୪ କୁଇଣ୍ଟାଲ ଆଚାର ପ୍ରସ୍ତୁତ ହୋଇଛି। କିନ୍ତୁ ଏହି ଆଚାର ଉପତ୍ାଦନ କ୍ଷେତ୍ରରେ ବର୍ତ୍ତମାନ ନିୟୋଜିତ ସ୍ବୟଂ ସହାୟକ ଗୋଷ୍ଠୀ କ୍ଷତି ସହୁଛନ୍ତି।
ଆଚାର ପ୍ରସ୍ତୁତି ଦାୟିତ୍ୱ ନେଇଥିବା ବିଘ୍ନେଶ୍ୱର ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ କୁହାଯାଇଛି ଯେ, ବ୍ରହ୍ମପୁର ବଜାରରେ ମିଶନ ଶକ୍ତି ଦ୍ୱାରା ପ୍ରସ୍ତୁତ ଆଚାରର ଚାହିଦା ରହୁନି। ଯାହାଫଳରେ ବ୍ୟୟ ତୁଳନାରେ ଆୟ ହ୍ରାସ ପାଇଛି। ସ୍ବୟଂ ସହାୟିକା ଗୋଷ୍ଠୀ କ୍ଷତି ସହୁଥିବା କହିଛନ୍ତି। ଆଚାର ଉପତ୍ାଦନ ସାଙ୍ଗକୁ ଆଚାର ବିକ୍ରୟ ପାଇଁ ଏହି କୋଠାରେ ୧୨ଟି ଦୋକାନ ଗୃହ ରହିଛି। ବର୍ତ୍ତମାନ ଗୋଟିଏ ଦୋକାନ ଗୃହରେ ଆଚାର ବିକ୍ରୟ ହେଉଛି। ବିକ୍ରୟ ବୃଦ୍ଧି ପାଇଲେ ବାକି ଗୃହଗୁଡିକ କାର୍ଯ୍ୟକ୍ଷମ ହେବ ବୋଲି ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ କୁହାଯାଇଛି। ତେବେ ଉପତ୍ାଦନ କେନ୍ଦ୍ରଠାରେ ଲ୍ୟାବ ନ ଥିବା କାରଣରୁ ଆଚାରର ଗୁଣବତ୍ତା ପରୀକ୍ଷାରେ ବାଧା ଉପୁଜୁଛି। ଆଚାରର ଗୁଣବତ୍ତା ପାଇଁ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ କଲ୍ୟାଣ ଲେବ୍ରୋଟୋରୀ ଉପରେ ନିର୍ଭର କରିବାକୁ ପଡୁଛି। ଏଠାରେ ଲ୍ୟାବ କରାଗଲେ ଆଚାରର ଗୁଣବତ୍ତା ସାଙ୍ଗକୁ ଆଚାରରରେ ବ୍ୟବହୃତ ହେଉଥିବା ଅନ୍ୟାନ୍ୟ ସାମଗ୍ରୀର ଗୁଣବତ୍ତା ମଧ୍ୟ ପରୀକ୍ଷା କରାଯାଇପାରିବ ବୋଲି କୁହାଯାଇଛି। ଅନ୍ୟପଟେ ଏହି କୋଠାରେ ୫ଟି ଟର୍ବୋ ଭେଣ୍ଟିଲେଟର ରହିଥିବା ବେଳେ ଆଉ ୫ଟି ଟର୍ବୋ ଭେଣ୍ଟିଲେଟର ଆବଶ୍ୟକ। ବର୍ତ୍ତମାନ ଏହି କେନ୍ଦ୍ରରୁ ମାନା ଟ୍ରଷ୍ଟ ଜରିଆରେ ଭଞ୍ଜନଗର, ବ୍ରହ୍ମପୁରଠାରେ ରହିଥିବା ଆହାର କେନ୍ଦ୍ରକୁ ଆଚାର ପଠାଯାଉଛି। ମିଶନ ଶକ୍ତି ପକ୍ଷରୁ ସିଧାସଳଖ ରାୟଗଡା, ଗଜପତିି, ମାଲକାନଗିରି ଓ କନ୍ଧମାଳକୁ ଆଚାର ପଠାଯାଉଛି। ଏ ନେଇ ବିଏମସି ସିଟି ମିଶନ ମ୍ୟାନେଜର ଏନ.ଅରୁଣ କୁମାରଙ୍କ ସହ ଯୋଗାଯୋଗ ବେଳେ କହିଛନ୍ତି ଯେ, ବର୍ତ୍ତମାନ ଅନଲାଇନ ମାଧ୍ୟମରେ ଆଚାର ବିକ୍ରି ସହ ଏସଏଚଜିମାନଙ୍କୁ ଆଚାରର କିଭଳି ଅଧିକା ବିକ୍ରୟ ହେବ ସେ ନେଇ ମାର୍କେଟିଂ ପାଇଁ କୁହାଯାଇଛି। ଯାହାଦ୍ୱାରା ଚାହିଦା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।