ଭଞ୍ଜନଗର,୧୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ଶକ୍ତିଶ୍ରୀ ଏମ୍ପାୱାରମେଣ୍ଟ ସେଲ୍ ପକ୍ଷରୁ ସୋମବାର ଆତ୍ମରକ୍ଷା ତାଲିମ ଶିବିର ‘ସେଲ୍ଫ ଡିଫେନ୍ସ’ ଅନୁଷ୍ଠିତ ହୋଇଯାଇଛି । କଲେଜ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ମଧ୍ୟରେ ସୁରକ୍ଷା ସଚେତନତା, ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। କଲେଜର ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଛାତ୍ରୀମାନଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ସଚେତନତା ସହ ଆତ୍ମବିଶ୍ୱାସ ଓ ଦାୟିତ୍ୱବୋଧ ଗଢ଼ି ତୋଳିବା ଦିଗରେ ଏହି ପଦକ୍ଷେପ ସହାୟକ ହେବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜିକା ଅଧ୍ୟାପିକା ଶେଫାଳି ପଟ୍ଟନାୟକ ସଂଯୋଜନା କରିଥିଲେ । ଏଥିରେ ଅତିଥି ଭାବେ ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମହାପାତ୍ର, ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ରଥ, ଅଧ୍ୟାପକ ଡ. ଦେବାଶିଷ ସ୍ୱାଇଁ, ଅଧ୍ୟାପିକା ତୃପ୍ତିମୟୀ ଦାସ, ସ୍ମରଣିକା ପାଢ଼ୀ, ସୁନିଆ ବିଷୋୟୀ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ସୁରକ୍ଷିତ ଓ ସଚେତନ ରହିବା, ଆପତ୍ତିକାଳୀନ ପରିସ୍ଥିତିରେ ଧୈର୍ଯ୍ୟ ରକ୍ଷା କରିବା, ନିଜ ସୁରକ୍ଷା ପ୍ରତି ସଚେତନ ହେବା ଏବଂ ହିଂସାକୁ ନା କହିବା ନେଇ ବିଭିନ୍ନ ସଚେତନତାମୂଳକ ବିଷୟ ଆଲୋଚନା କରାଯାଇଥିଲା। ଶେଷରେ ଅଧ୍ୟାପିକା ପ୍ରଜ୍ଞା ପରମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଶିବିରଟି ୬ ଦିନ ବ୍ୟାପି ଚାଲିବ । ରୀନା ଖଟେଇ, ଇତିଶ୍ରୀ ସ୍ୱାଇଁ ତାଲିମ୍ ପ୍ରଦାନ କରୁଛନ୍ତି ।