Categories: ଖେଳ

ଧୋନୀଙ୍କ ପାଇଁ ବିଶ୍ୱକପ୍‌ ଦଳରେ ହାର୍ଦ୍ଦିକ

ଶାରଜା,୨୯।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ଲଜ୍ଜାଜନକ ପରାଜୟ ମିଳିବା ପରେ ଭାରତୀୟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭୂମିକା ଉପରେ ଉଠିଛି ଅନେକ ପ୍ରଶ୍ନ। ଆହତ ହେବାର ସମ୍ଭାବନା ଥିବାରୁ ସେ ବୋଲିଂ କରୁ ନାହାନ୍ତି। ଆଉ ବ୍ୟାଟରେ ତାଙ୍କ ପ୍ରଦର୍ଶନ ସେତେଟା ଭଲ ନୁହେଁ। ତେବେ ଆଇପିଏଲ ଶେଷ ହେବା ପରେ ପାଣ୍ଡ୍ୟା ସ୍ବଦେଶ ଫେରି ଯାଆନ୍ତୁ ବୋଲି ଚାହୁଁ ଥିଲେ ଚୟନକର୍ତ୍ତା। ହେଲେ ତାଙ୍କ ସପକ୍ଷରେ ବାହାରି ଥିଲେ ବିଶ୍ୱକପ୍‌ ଲାଗି ମେଣ୍ଟର ଦାୟିତ୍ୱ ପାଇଥିବା ମହେନ୍ଦ୍ର ସିଂ ଧୋନୀ। ଏ ସମ୍ପର୍କୀତ ଏକ ରିପୋର୍ଟ ଜାତୀୟ ଇଂରାଜୀ ଖବର କାଗଜରେ ପ୍ରକାଶ ପାଇଛି।

“ସତ ହେଲା ଯେ, ଆଇପିଏଲରେ ବୋଲିଂ ନ କରିବାର କାରଣରୁ ହାର୍ଦ୍ଦିକ ଆଇପିଏଲ ପରେ ସ୍ବଦେଶ ଫେରି ଯାଆନ୍ତୁ ବୋଲି ଚୟନକର୍ତ୍ତାମାନେ ଚାହୁଁଥିଲେ। କିନ୍ତୁ ମ୍ୟାଚ୍‌ ଫିନିଶିଂ ଦକ୍ଷତା ଯୋଗୁ ହାର୍ଦ୍ଦିକଙ୍କ ସପକ୍ଷରେ ମତ ରଖିଥିଲେ ମେଣ୍ଟର ଧୋନୀ। ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଲରାଉଣ୍ଡରଙ୍କ ଫିଟ୍‌ନେସ ଉପରେ ଗତ ୬ ମାସ ହେଲା ସସ୍‌ପେନ୍ସ ଜାରି ରହିଛି। ଆଉ ଏବେ ତାଙ୍କ କାନ୍ଧରେ ସମସ୍ୟା ସାମ୍ନାକୁ ଆସିଛି। ତାଙ୍କ ପାଇଁ ଜଣେ ଫିଟ୍‌ ଖେଳାଳିଙ୍କୁ ସୁଯୋଗ ମିଳିଲା ନାହିଁ। ଦଳର ଆବଶ୍ୟକତା ପୂରଣ କରିପାରୁ ନ ଥିବା ଅନ୍‌ ଫିଟ୍‌ ଖେଳାଳିଙ୍କୁ ଖେଳାଇବାର ଆବଶ୍ୟକତା ନାହିଁ” ବୋଲି ରିପୋର୍ଟରେ କୁହାଯାଇଛି।

ଅନେକ ପୂର୍ବତନ କ୍ରିକେଟର ହାର୍ଦ୍ଦିକଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ନେବାକୁ ପରାମର୍ଶ ଦେଇଛନ୍ତି। ଯଦ୍ଦ୍ବାରା ଦଳକୁ ୬ଷ୍ଠ ବୋଲିଂ ବିକଳ୍ପ ଓ ନିମ୍ନକ୍ରମରେ ଭଲ ବ୍ୟାଟର ମିଳିପାରିବ।

Share