୫୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୪ ଗିରଫ

ଖୋର୍ଦ୍ଧା ଅଫିସ,୮ା୨: ଖୋର୍ଦ୍ଧା ଆଦର୍ଶ ପୋଲିସକୁ ମିଳିଛି ବଡ଼ ସଫଳତା। ୧୬ ନଂ ଜାତୀୟ ରାଜପଥ ତୋଟାପଡ଼ା ଛକରେ ଚଢ଼ାଉ କରି ୫୬୦ ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି।
ଜବତ ବ୍ରାଉନସୁଗାରର ମୂଲ୍ୟ ୫୬ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ସଦରଥାନା ଅନ୍ତର୍ଗତ ଗୋଟିଏ ପରିବାରର ରାମଚଣ୍ଡୀ ଦୁର୍ଗାପ୍ରସାଦ ଗ୍ରାମର ସୁଷମା ମଲିକ (୩୬), ତାଙ୍କ ସ୍ବାମୀ ଶିବ ମଲିକ (୪୨), ପୁଅ ଜୟପ୍ରକାଶ ମଲିକ ଓରଫ ବଳିଆ (୨୧) ଏବଂ ନୟାଗଡ଼ ଜିଲା ରଣପୁର ଥାନା ମହତପଲା ଗ୍ରାମର ପ୍ରତାପ କୁମାର ମହାପାତ୍ର(୩୩)। ଏକ ଅଟୋ (ନଂ-ଓଡି ୦୨-ବିକେ-୨୦୯୮)କୁ ଜବତ କରାଯାଇଥିବା ଏସିପିଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ ପ୍ରକାଶ କରିଛନ୍ତି।

ତୋଟାପଡ଼ା ଛକଠାର ବ୍ରାଉନସୁଗାର ଡିଲ୍‌ ହେଉଥିବା ଖବର ବିଶେଷସୂତ୍ରରୁ ପାଇ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଆଦର୍ଶଥାନା ପୋଲିସ ଚଢ଼ାଉ କରିଥିଲା। ତୋଟାପଡ଼ା ଛକ ନିକଟରେ ଡିଲ୍‌ ଚାଲିଥିବା ଖବରପାଇ ପୋଲିସ ଚଢ଼ାଉ କରିଥିଲା। ଏନେଇ ଏନ୍‌ଡିପିଏସ୍‌ ଆକ୍ଟରେ ଏକ ମାମଲା(ନଂ ୮୬/୨୩) ରୁଜୁ କରାଯାଇ କୋର୍ଟ ଚାଲାଣ କରିଛି ବୋଲି ଏସ୍‌ପି କହିଥିଲେ। ଏହି ଖବରଦାତା ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ, ଏସ୍‌ଡିପିଓ ଦିଲୀପ କୁମାର ଦାସ, ଭାରପ୍ରାପ୍ତ ଆଦର୍ଶଥାନା ଅଧିକାରୀ ତାରିକ ଅହମ୍ମଦ, ଅତିରିକ୍ତ ଥାନାଧିକାରୀ କାହ୍ନୁଚରଣ ସ୍ବାଇଁ, ଏସ୍‌ଆଇ ସୁନୀତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।