ସୁରକ୍ଷା କର୍ମୀ ନିଲମ୍ବିତ, ଷ୍ଟାଫ୍‌ନର୍ସଙ୍କୁ ତାଗିଦ୍‌

ଢେଙ୍କାନାଳ ଅଫିସ, ୨୬।୮: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଡେଇଁ ୨ ରୋଗୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଶେଷ ହୋଇଛି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜଣେ ସୁରକ୍ଷା କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ଥିବା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିଲାଗି ଷ୍ଟାଫ୍‌ନର୍ସ ଓ ଆଟେଣ୍ଡାଣ୍ଟଙ୍କୁ ତାଗିଦା କରାଯାଇଛି। ସେହିପରି ସ୍ବାସ୍ଥ୍ୟକେନ୍ଦ୍ରର ଉପର ମହଲାଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ସିଡିଏମ୍‌ଓ ଡା. ଅଶୋକ କୁମାର ଦାଶ ସୂଚନା ଦେଇଛନ୍ତି।
ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଗଷ୍ଟ ୧୩ ଏବଂ ୧୮ ତାରିଖରେ ଘଟିଥିଲା ଅଭାବନୀୟ ଘଟଣା। ଡାକ୍ତରଖାନା କୋଠାରୁ ଡେଇଁପଡ଼ି ୨ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏଭଳି ସ୍ପର୍ଶକାତର ଘଟଣାକୁ ନେଇ ସ୍ବାସ୍ଥ୍ୟ ବିଭାଗ ନିନ୍ଦିତ ହୋଇଥିବାବେଳେ ଜିଲା ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲାପାଳଙ୍କ ନେତୃତ୍ୱରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ମେଡିକାଲ) ଓ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ପୂର୍ତ୍ତ ବିଭାଗ ପକ୍ଷରୁ ମେଡିକାଲ ଉପର ମହଲାରେ ଥିବା ଝରକାଗୁଡ଼ିକରେ ଜାଲି ଓ ଗ୍ରୀଲ ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି।
୨୦୧୮ରୁ ଅଦ୍ୟାବଧି ଜଲା ମୁଖ୍ୟ ଚିକିତ୍ସାଳୟ କୋଠାରୁ ଡେଇଁ ୪ ରୋଗୀ ଜୀବନ ହାରିଲେଣି। ହେଲେ କେବଳ ସୁରକ୍ଷା କର୍ମୀଙ୍କ ଉପରେ ନାମକୁ ମାତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ ରଫାଦଫା କରିଦିଆଯାଉଛି, ଯାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଏଥିପୂର୍ବରୁ ଜଣେ ଗୁରୁତର ଶିଶୁଙ୍କୁ ଆଉଟ୍‌ ଡୋର୍‌ରେ ଥିବା ଡାକ୍ତର ଚିକିତ୍ସା କରିବା ପରିବର୍ତ୍ତେ ଶିଶୁ ବିଶେଷଜ୍ଞ ନ ଥିବା କହି ଘରୋଇ କ୍ଲିନିକ୍‌କୁ ପଠାଇ ଦେଇଥିଲେ। ଠିକ୍‌ ସମୟରେ ଚିକିତ୍ସା ସେବା ନ ମିଳିବାରୁ ସମ୍ପୃକ୍ତ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିଲା। ଏ ସମ୍ପର୍କରେ ସିଡିଏମ୍‌ଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବାବେଳେ ମୃତ ଶିଶୁଙ୍କ ମାତାପିତା ତଦନ୍ତରେ ସହଯୋଗ କରୁ ନ ଥିବା ସେ କହିଥିଲେ।
ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଟୋ ଆନାଲାଇଜର କାମ କରୁନାହିଁ। ଯନ୍ତ୍ରାଂଶ ମିଳୁ ନ ଥିବାରୁ ୪ ଲିଫ୍ଟ ମଧ୍ୟରୁ ୨ଟି ଅଚଳ ହୋଇପଡ଼ିଛି। ଏ ସଂକ୍ରାନ୍ତରେ ଉଫୁନା ଅନୁଷ୍ଠାନ ପକ୍ଷରୁ ଜିଲାପାଳଙ୍କ ସମେତ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଜିଲାର ମୁଖ୍ୟ ସ୍ବାସ୍ଥ୍ୟ ଅନୁଷ୍ଠାନରେ ରୋଗୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ଉନ୍ନତମାନର ସେବା ଯୋଗାଇ ଦେବା ଲାଗି ଅନୁଷ୍ଠାନର ରାଜ୍ୟ ଅଧ୍ୟକ୍ଷ ତଥା ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି।