ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

ପୁରୀ ଅଫିସ ୧୨ା୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ଦୁଇଦିନିଆ ପୁରୀ ଗସ୍ତରେ ଆସିବେ। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀଚୈତନ୍ୟ ଗୌଡୀୟ ମଠର ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ବର୍ଷ ପୂର୍ତ୍ତି ଆବିର୍ଭାବ ମହୋତ୍ସବର ଉଦ୍‌ଘାଟନୀ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପୋଲିସ ଓ ଜିଲା ପ୍ରଶାସନ ସମେତ ଗୌଡୀୟ ମଠ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲୁ ବୁକ୍‌ ଅନୁଯାୟୀ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି। କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଶୁକ୍ରବାର ପୁରୀ ଗସ୍ତରେ ଆସି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ସେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଏସ୍‌ପି କନଓ୍ବର ବିଶାଲ ସିଂ ଏବଂ ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଶ୍ରୀମନ୍ଦିର, ଗୌଡୀୟ ମଠ ଓ ଶରଧାବାଲିକୁ ଯାଇ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଆଇଜି କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଛି। ରାଷ୍ଟ୍ରପତି ଯିବାକୁ ଥିବା କାର୍ଯ୍ୟକ୍ରମ ସ୍ଥଳରେ ବ୍ୟାପକ ପୋଲିସ ମୁତୟନ ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ସମେତ ଶରଧାବାଲିରେ ରାଷ୍ଟ୍ରପତିଙ୍କର ପ୍ରାୟ ଏକ ଘଣ୍ଟାର କାର୍ଯ୍ୟକ୍ରମ ରହିଛି। ସମ୍ପୃକ୍ତ ସମସ୍ତ ସ୍ଥାନକୁ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛୁ। ଗସ୍ତ କାର୍ଯ୍ୟକ୍ରମକୁ ସୁରୁଖୁରୁରେ କାର୍ଯ୍ୟକାରୀ କରାଇବା ଉପରେ ସ୍ବତନ୍ତ୍ର ଧ୍ୟାନ ରହିବ। ସେହିପରି ପୁରୀକୁ ଆସୁଥିବା ଶ୍ରଦ୍ଧାଳୁଙ୍କର ଯେପରି କୌଣସି ଅସୁବିଧା ନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ।
ସୂଚନା ଅନୁଯାୟୀ, ରାଷ୍ଟ୍ରପତି କୋବିନ୍ଦ ୧୯ତାରିଖ ଅପରାହ୍ନ ୨ଟା ୫୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବେ। ସେଠାରୁ ବାହାରି ଅପରାହ୍ନ ୩ଟା ୨୫ରେ ପୁରୀ ହେଲିପ୍ୟାଡ୍‌ ଓ ପରେ ୩ଟା ୪୦ରେ ସ୍ଥାନୀୟ ମେ’ ଫେୟାର ହୋଟେଲରେ ପହଞ୍ଚିବେ। ଅପରାହ୍ନ ୪ଟା ୫୫ରେ ଉକ୍ତ ହୋଟେଲରୁ ବାହାରି ୫ଟାରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବେ। ଶ୍ରୀମନ୍ଦିରକୁ ଯାଇ ପ୍ରାୟ ୪୫ମିନିଟ ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିସାରିବା ପରେ ପୁଣି ମେ’ ଫେୟାରକୁ ଫେରିଯିବେ। ସେଠାରେ ରାତ୍ରିଯାପନ କରିବେ। ୨୦ ତାରିଖ ପୂର୍ବାହ୍ନ ୧୦ଟା ୩୫ରେ ରାଷ୍ଟ୍ରପତି ବଡ଼ଦାଣ୍ଡସ୍ଥିତ ଶ୍ରୀଚୈତନ୍ୟ ଗୌଡୀୟ ମଠକୁ ଯାଇ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କୁ ଅର୍ଘ୍ୟ ଓ ପୁଷ୍ପାଞ୍ଜଳି ଅର୍ପଣ କରିବେ। ପରେ ୧୦ଟା ୫୦ରେ ଶରଧାବାଲିରେ ହେବାକୁ ଥିବା ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଆବିର୍ଭାବ ମହୋତ୍ସବର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେଠାରୁ କାର୍ଯ୍ୟକ୍ରମ ସାରି ମଧ୍ୟାହ୍ନ ୧୨ଟା ୦୫ରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି କୋବିନ୍ଦ ପୂର୍ବରୁ ୨୦୧୮ ମାର୍ଚ୍ଚ ୧୮ ଓ ପରେ ୨୦୨୧ ମାର୍ଚ୍ଚ ୨୨ରେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏଥର ସେ ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସୁଥିବାରୁ ସେବାୟତ ଓ ସହରବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।