୧୮ରୁ ଚନ୍ଦ୍ରଭାଗା ପଡ଼ିଆରେ ୧୪୪ ଧାରା

ପୁରୀ ଅଫିସ, ୧୭।୨:ଚଳିତବର୍ଷ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କୋଭିଡ୍‌ କଟକଣା ମଧ୍ୟରେ ଚନ୍ଦ୍ରଭାଗା ମାଘ ମେଳା ଆୟୋଜନ ହେବ। ଜନସମାଗମ ଯୋଗୁ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ଲାଗୁ କରାଯିବ। ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୧୧ଟାରୁ ୧୯ ତାରିଖ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ଓ ପହିଲି ସୂର୍ଯ୍ୟ ଦର୍ଶନ ଉପରେ କଟକଣା ଜାରି ରହିବ ବୋଲି ମଙ୍ଗଳବାର ପୁରୀ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।
ସାଧାରଣତଃ ଚନ୍ଦ୍ରଭାଗା ମାଘମେଳାରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ସହ ପହିଲି ସୂର୍ଯ୍ୟଙ୍କୁ ଦର୍ଶନ କରିଥାନ୍ତି। ମାତ୍ର ଚଳିତ ଥର ଏଭଳି ହେବ ନାହିଁ। ଜନସମାଗମକୁ ଏଡ଼ାଇବା ପାଇଁ ୧୪୪ ଧାରା ଲାଗୁ କରାଯିବାକୁ ଉପଜିଲାପାଳ ଭବତାରଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ୫ଶହ ଲୋକଙ୍କ ଉପସ୍ଥିତିରେ ଚନ୍ଦ୍ରଭାଗା ମେଳା ଆୟୋଜନ କରିବା ପାଇଁ ଗତ ୩୦ ତାରିଖରେ ସ୍ବତନ୍ତ୍ର ରିଲିଫ୍‌ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ନିର୍ଦ୍ଦେଶନାମା ଅନୁଯାୟୀ ମାଘମେଳା ଅନୁଷ୍ଠିତ ହେବ। ମେଳା ସହ ସମ୍ପୃକ୍ତ ସେବାୟତ, ସରକାରୀ ଅଧିକାରୀ ଓ କର୍ମଚାରୀ, କେତେଜଣ ସ୍ଥାନୀୟ ବ୍ୟକ୍ତିବିଶେଷ ଓ ଖବରଦାତାଙ୍କୁ ଏଥିରେ ସାମିଲ କରାଯିବ। ତେବେ ମାଘମେଳାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅଧିକ ଉତ୍ସାହ ରହୁଥିବାରୁ ଗହଳିର ଆଶଙ୍କା ରହିଛି। ତେଣୁ ୧୪୪ ଧାରା ମାନିବା ପାଇଁ ସ୍ଥାନୀୟ ବାସିନ୍ଦା ଓ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ସେହିପରି ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ୫ଶହ ଲୋକଙ୍କ ଉପସ୍ଥିତିରେ ମାଘମେଳା ଆୟୋଜନ ନିଷ୍ପତ୍ତିକୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ବିରୋଧ କରୁଥିବାବେଳେ କିଛିଦିନ ତଳେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏ ନେଇ ଜିଲାପାଳ ସମର୍ଥ ବର୍ମାଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା।