ସଚିବ, ସିଏମ୍‌ସି କମିଶନରଙ୍କୁ ଜବାବ ମାଗିଲେ ଏନ୍‌ଏଚ୍‌ଆର୍‌ସି

ଭୁବନେଶ୍ୱର, ୧୬ା୧୨(ବ୍ୟୁରୋ):କଟକର ସିଡିଏ ସେକ୍ଟର-୧୦ ଅଞ୍ଚଳରେ ସ୍ବେରେଜ ଟାଙ୍କି ସଫା କରୁଥିବାବେଳେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଖୋଳତାଡ଼ ଆରମ୍ଭ କରିଛନ୍ତି। ଏହି ଘଟଣାର ୨୦ ମାସ ପରେ ଗୁରୁବାର କମିଶନ ତିନିଜଣ ଉଚ୍ଚସ୍ତରୀୟ ଅଧିକାରୀଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ଏ ନେଇ ସବିଶେଷ ରିପୋର୍ଟ ଆଗାମୀ ୩ ସପ୍ତାହ ଭିତରେ ଦାଖଲ କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ, କଟକ ମହାନଗର ନିଗମ କମିଶନର ଏବଂ ଦ୍ୱୈତନଗରୀ ପୋଲିସ କମିଶନରଙ୍କୁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ମିଳିବା ପରେ ଆସନ୍ତା ଜାନୁୟାରୀ ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଏନ୍‌ଏଚ୍‌ଆର୍‌ସି କହିଛନ୍ତି।
ସୂଚନାନୁଯାୟୀ, ୨୦୨୧ ଏପ୍ରିଲ ୧୫ ତାରିଖରେ ସିଡିଏ ସେକ୍ଟର-୧୦ ଅଞ୍ଚଳର ଗଡ଼ା ଛକ ରାସ୍ତା ପାର୍ଶ୍ୱରେ ସ୍ବେରେଜ ଟାଙ୍କି ସଫା ପାଇଁ ପି.ଶଙ୍କର, ଡି.ଶିିବା ଏବଂ ବିଷ୍ଣୁ ନାୟକଙ୍କୁ ନିୟୋଜିତ କରାଯାଇଥିଲା। ଏମାନେ ଟାଙ୍କି ଭିତରେ ପଶିଥିବା ସମୟରେ ଶ୍ୱାସରୁଦ୍ଧ ହୋଇ ପାଟପୁରର ପି.ଶଙ୍କର ଓ ବଡ଼ମ୍ବାର ବିଷ୍ଣୁ ନାୟକଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଡି.ଶିବା ଗୁରୁତର ଆହତ ହୋଇଥିଲେ। କଟକ ମହାନଗର ନିଗମ (ସିଏମ୍‌ସି)ର ଚରମ ଅବହେଳା ଯୋଗୁ ବାରମ୍ବାର ଏପରି ଘଟଣା ଘଟୁଛି ବୋଲି ଦର୍ଶାଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମାନବିକ ଅଧିକାର କର୍ମୀ ଅଖଣ୍ଡ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ପିଟିଶନ୍‌ ଦାଏର କରିଥିଲେ। ଏଥିସହ ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ସାରା ଦେଶରେ ମାନୁଆଲ୍‌ ସ୍କାଭେଜିଂ (ମଣିଷଙ୍କ ଦ୍ୱାରା ମଇଳା ସଫେଇ କାର୍ଯ୍ୟ)କୁ ନିଷେଦ୍ଧ କରାଯାଇଥିବାବେଳେ ଏବେ ବି ଓଡ଼ିଶାର ବିଭିନ୍ନ ସ୍ଥାନରେ ଏଭଳି କାର୍ଯ୍ୟ ହେଉଛି। ଏପରିକି କୌଣସି ନିରାପତ୍ତା ସାମଗ୍ରୀ ବ୍ୟବହାର କରାଯାଉନାହିଁ। ଫଳରେ ଅନେକ ଶ୍ରମିକଙ୍କ ଜୀବନ ଯାଉଛି ବୋଲି ଅଖଣ୍ଡ ଅଭିଯୋଗ କରିଛନ୍ତି। ତେଣୁ ଏଭଳି ବେନିୟମ କାମ କରାଉଥିବା ଠିକାଦାର ଏବଂ ଅଫିସରଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଦାବି କରିଛନ୍ତି। ଅଭିଯୋଗ ପରେ କମିଶନ ଏହାକୁ ଗୁରୁତ୍ୱର ସହ ବିଚାର କରି ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ, ସିଏମ୍‌ସି କମିଶନର୍‌ ଏବଂ ପୋଲିସ୍‌ କମିଶନରଙ୍କୁ ଜବାବ ମାଗିଛନ୍ତି।