ମା’ର ମୃତ୍ୟୁ ପରେ ସତୁରି ବର୍ଷରୁ ଊର୍ଦ୍ଧ୍ୱ ବାପା ଦ୍ୱିତୀୟ ବିବାହ କରିବା ପାଇଁ ମନ ବଳାଇଲେ। ଶେଷରେ ପୁଅ-ଝିଅମାନଙ୍କ ‘ନାହିଁ’ ଆଗରେ ବାପାଙ୍କର ‘ହଁ’ ଜିଦ୍ର ଓଜନ ଅଧିକ ହେବା ଫଳରେ ଉତ୍ତର ବୟସରେ ବାପାଙ୍କର ଦ୍ୱିତୀୟ ବିବାହ ସମ୍ପନ୍ନ ହେଲା। ଶେଷରେ ପୁଅ-ଝିଅଙ୍କ ବିରୋଧାଭାଷ ପାଇଁ ସ୍ବଅର୍ଜିତ ସମ୍ପତ୍ତିରୁ ଭାଗ ଦେବା ପାଇଁ ବାପା ସଫାସଫା ମନା କରିଦେଲେ। କେବଳ ପୈତୃକ ସମ୍ପତ୍ତି ଉପରେ ଭରସା କରି ପିଲାମାନେ ରହିଲେ ା ଲୋକନିନ୍ଦା ଓ ଅପବାଦକୁ ମୁଣ୍ଡେଇବା ଅପେକ୍ଷା କଥାଟିକୁ ଆଉ ଆଗକୁ ବଢ଼ାଇବା ପାଇଁ ପିଲାମାନେ ଚାହିଁଲେ ନାହିଁ। ଲୋକମାନେ କହୁଥିଲେ, ବୁଢ଼ାର ଆଗରୁ ସେ ଝିଅ ସାଙ୍ଗରେ ସୁସଂପର୍କ ଥିଲା। ଏକଥା ଜାଣି ସ୍ତ୍ରୀ ଚିନ୍ତାରେ ଆରପାରିକୁ ଚାଲିଗଲା ା ଏବେ ବିଲେଇ କପାଳକୁ ଶିକା ଛିଡ଼ିଛି। ବୁଢ଼ାର ନିଜ ରୋଜଗାର କ’ଣ କିଛି କମ୍ ା ତା’ ସମ୍ପତ୍ତି ଖାଇବ କିଏ? କିଏ ବୃଦ୍ଧ ବୟସରେ ବାଲ୍ୟଲୀଳା କହି ଥଟ୍ଟା କରୁଥିବା ବେଳେ ଆଉ କେହି ଉକ୍ତ ସ୍ତ୍ରୀଲୋକର କାରନାମା କଥା ଆଲୋଚନା କରୁଥିଲେ। ପ୍ରକୃତ ସତ୍ୟ କ’ଣ ସେ କଥା ଉକ୍ତ ବୃଦ୍ଧ ତରୁଣୀ ଦମ୍ପତିଙ୍କୁ ହିଁ ଜଣା!
ଯେଉଁ ବାପାଙ୍କୁ ପିଲାମାନେ ଉଭୟ ଶ୍ରଦ୍ଧା ଓ ସମ୍ମାନର ଆସନରେ ବସାଉଥିଲେ ବାପାଙ୍କର ଏ ପ୍ରକାର ଏକ ନିଷ୍ପତ୍ତି ଫଳରେ ସୁ-ସମ୍ପର୍କ ଛିନ୍ନ ହେବାର ଆଶଙ୍କା ସୃଷ୍ଟି ହେଲା ା ବାପାଙ୍କର ଏକାନ୍ତ ଜିଦ୍ ‘ମୋର ଏକାକୀତ୍ୱ ବେଳେ କିଏ ସାଥ୍ ଦେବ’! ସ୍ତ୍ରୀର ସ୍ଥାନ କ’ଣ ଆଉ କାହାକୁ ଦେଇ ହେବ? ତେଣୁ ନିଜର ଆଶା ଆକାଂକ୍ଷାକୁ ଚରିତାର୍ଥ କରିବା ପାଇଁ ଆଉ ଥରେ ବିବାହ କଲେ ଅସୁବିଧା କେଉଁଠି? ବରଂ ପିଲାମାନେ ମୋ ଚିନ୍ତାରୁ ମୁକ୍ତ ହୋଇଯିବେ। ସେମାନଙ୍କ ଉପରେ ମୁଁ ଅଯଥା ବୋଝ ହେବାକୁ ଚାହୁଁନାହିଁ। ସନ୍ତାନମାନଙ୍କର ସାମାଜିକ ନିନ୍ଦା-ଅପମାନର ଭୟ ଆଗରେ ବାପାଙ୍କର ଏକାକୀତ୍ୱ ଜୀବନ କ’ଣ କିଛିମାତ୍ରାରେ କମ୍?
ମା’ମାନଙ୍କ କ୍ଷେତ୍ରରେ ଏ ପ୍ରକାର ବିବାହ ଅନେକ ମାତ୍ରାରେ କମ୍ ହୋଇଥାଏ। କେବଳ ପିଲାମାନେ ଛୋଟ ଥିଲା ବେଳେ ଯଦି ସ୍ବାମୀଙ୍କ ମୃତ୍ୟୁ ଘଟେ, ତା’ହେଲେ ନିଜର ତଥା ପିଲାମାନଙ୍କର ସୁରକ୍ଷା କଥା ଚିନ୍ତା କରି ମା’ଟିଏ ସୁବିଧା ସୁଯୋଗ ପାଇଲେ ପୁଣି ଥରେ ବିବାହ କରେ ା ସାଧାରଣତଃ ଉକ୍ତ ସମୟରେ ପିଲାମାନଙ୍କର ବିରୋଧ କରିବାର ବୟସ ହୋଇ ନ ଥିବାରୁ ଏହାକୁ ସ୍ବୀକୃତି ପ୍ରଦାନ କରିବାରେ ଅଧିକ ଅସୁବିଧା ହୋଇ ନଥାଏ। କେବଳ ଶ୍ୱଶୁର ଘର ଲୋକଙ୍କ ବିରୋଧ ପାଇଁ ଏହା ହୁଏତ ବିଳମ୍ବିତ ହୋଇପାରେ ା କିନ୍ତୁ ଝିଅର ସୁରକ୍ଷିତ ଭବିଷ୍ୟତ ପାଇଁ ବାପ ଘରର ଲୋକମାନେ ପ୍ରାୟତଃ ରାଜି ହୋଇ ଯାଇଥା’ନ୍ତି। କାର୍ଗିଲ ଯୁଦ୍ଧ ସମୟରେ ଅନେକ ସୈନ୍ୟ ମୃତ୍ୟୁବରଣ କଲେ। ନିୟମ ଅନୁଯାୟୀ ସେମାନଙ୍କ ସ୍ତ୍ରୀମାନଙ୍କୁ କ୍ଷତିପୂରଣ ମିଳିଲା ା ହେଲେ ବିଚରା ମା’ବାପାମାନେ କରିବେ କ’ଣ! ଯୁବତୀ ବୟସରେ ବୋହୂ ଯଦି ଆଉ କାହାକୁ ବାହା ହୋଇଯିବ ତାହେଲେ…! ତେଣୁ କେତେକ ସ୍ଥାନରେ ଶାଶୁ-ଶ୍ୱଶୁର ନିଜର ଅନ୍ୟ ପୁଅ କିମ୍ବା ଚିହ୍ନା ପରିଚିତଙ୍କ ମଧ୍ୟରେ ବୋହୂର ବିବାହ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଉଚିତ୍ ମନେକରିଥିଲେ ା ନାତି କିମ୍ବା ନାତୁଣୀ ଥିଲେ ଅଲଗା କଥା ା ବୋହୂଟି ଯଦି ସଦ୍ୟ ବିବାହିତା, ସେ ଜାଗାରେ କ’ଣ କରାଯାଇପାରେ! ତେଣୁ ଏହି କ୍ଷତିପୂରଣ ରାଶି ମା’ବାପା ଏବଂ ସ୍ତ୍ରୀ-ପିଲାଛୁଆଙ୍କ ମଧ୍ୟରେ କେମିତି ଭାଗ କରାଯିବା ଦରକାର, ସେ ସମ୍ପର୍କରେ ବିତର୍କ ଚାଲିଲା।
ଉପରୋକ୍ତ ପ୍ରସଙ୍ଗଗୁଡ଼ିକ ହେଉଛି ସ୍ତ୍ରୀ କିମ୍ବା ସ୍ବାମୀମାନଙ୍କ ମୃତ୍ୟୁ ପରର ନିଷ୍ପତ୍ତିର କଥା। କିନ୍ତୁ ଯେତେବେଳେ ଏମାନେ ବଞ୍ଚତ୍ ଥାଉଥାଉ ଯଦି କୌଣସି କାରଣରୁ ଏମାନେ ଅଲଗା ହୋଇଯାଇ ଦ୍ୱିତୀୟ ବିବାହ କରିବା ପାଇଁ ନିଷ୍ପତ୍ତି ନିଅନ୍ତି, ତା’ହେଲେ ସନ୍ତାନମାନେ ଏହାକୁ କେଉଁ ଢଙ୍ଗରେ ଗ୍ରହଣ କରିବେ! ପିଲାମାନେ ଛୋଟ ଥିଲେ ହୁଏତ ଏ ବିଷୟରେ ସେମାନେ ବେଶି କିଛି ଜାଣିପାରନ୍ତି ନାହିଁ। କିନ୍ତୁ ବଡ଼ ପିଲାମାନେ କାହାର ପକ୍ଷ ନେବେ? ସେମାନଙ୍କ ପାଇଁ ତ ଉଭୟ ସମାନ। ବାପା ଏବଂ ମା’ ଉଭୟଙ୍କୁ ସମାନ ନଜରରେ ଦେଖି ଆସିଥିବା ପିଲାମାନେ କି ପ୍ରକାର ନିଷ୍ପତ୍ତି ନେବେ? ମନସ୍ତତ୍ତ୍ୱବିତ୍ମାନେ ଏସବୁ ଘଟଣାଗୁଡ଼ିକରେ ସନ୍ତାନ ସନ୍ତତିମାନଙ୍କ ମଧ୍ୟରେ ବିଭାଜିତ ବ୍ୟକ୍ତିତ୍ୱ ସୃଷ୍ଟି ହେବାର ଆଶଙ୍କା କଥା ଉଲ୍ଲେଖ କରିଥାଆନ୍ତି ା ଆମର ପୁରାଣ କଥା ଯଦି ଆଲୋଚନା କରାଯାଏ, ତେବେ ରାଜକୁମାର ଦେବବ୍ରତ ନିଜ ବାପା ଶାନ୍ତନୁଙ୍କର ବିବାହ ପାଇଁ ସବୁଦିନ ପାଇଁ ନିଜେ ଅବିବାହିତ ରହିବା ଲାଗି ଦୃଢ଼ପ୍ରତିଜ୍ଞ ହୋଇଥିବାରୁ ତାଙ୍କୁ ଆମେ ‘ଭୀଷ୍ମ ପ୍ରତିଜ୍ଞା’ ବୋଲି ଅଭିହିତ କରିଥାଉ ା ନିଜ ବାପାଙ୍କର ମା’ ଗଙ୍ଗାଙ୍କ ସହିତ ପ୍ରେମ ସମ୍ପର୍କରେ ଭଟ୍ଟା ଆସିବା ହେତୁ ସିଏ ଚିରକାଳ ମାତୃସ୍ନେହରୁ ବଞ୍ଚତ୍ତ ହୋଇଥିଲେ ା ସେହି ବାପାଙ୍କ ପାଇଁ ନିଜର ସମସ୍ତ କାମନାକୁ ଜଳାଞ୍ଜଳି ଦେବାକୁ ପଛଘୁଞ୍ଚା ଦେଇନଥିଲେ। ଏହାକୁ ପିତୃଭକ୍ତିର ଏକ ବଳିଷ୍ଠ ଉଦାହରଣ ବୋଲି ବିବେଚନା କରାଯାଏ ା ଏଠାରେ ପ୍ରଶ୍ନ ଉଠୁଛି- ବାପାଙ୍କର କ’ଣ ପୁଅ ପ୍ରତି କିଛି କର୍ତ୍ତବ୍ୟ ନଥିଲା!
ଆଜିକାଲି ସନ୍ତାନମାନଙ୍କ ପାଇଁ ନିଜ ବାପା କିମ୍ବା ମା’ମାନଙ୍କର ପୁଣି ଥରେ ବିବାହ ଆଉ କିଛି ନୂଆ କଥା ହୋଇ ରହିନାହିଁ ା କେତେକ ସମୟରେ ଏହା ସନ୍ତାନମାନଙ୍କ ସହମତିରେ ହେଉଛି ତ ଅନ୍ୟ କେତେକ କ୍ଷେତ୍ରରେ ଏହାକୁ ସନ୍ତାନମାନେ ବିରୋଧ କରିଥାଆନ୍ତି ା ସ୍ଥାନ, କାଳ ଓ ପାତ୍ର ଭେଦରେ ଏହାର ଭୁଲ୍-ଠିକ୍ ବିଚାର କରାଯାଇପାରେ। ସେସବୁ ପ୍ରସଙ୍ଗରେ ସବୁଠୁ ବଡ଼ କଥା ହେଉଛି ସନ୍ତାନମାନଙ୍କର ମାନସିକ ସ୍ବାସ୍ଥ୍ୟର ସୁରକ୍ଷା। ବଡ଼ପିଲା ସିନା ବୁଝିବା ଶୁଝିବାର, କିନ୍ତୁ ଛୋଟ ପିଲାମାନେ କରିବେ କ’ଣ? ପାରିବାରିକ ଅଶାନ୍ତି ଶେଷରେ ମାନସିକ ବିଶୃଙ୍ଖଳାର ରୂପ ନେଇଥାଏ। ସବୁ କଥା ହୁଏତ କୋର୍ଟ କଚେରିରେ ସମାଧାନ ହୋଇ ନପାରେ। ଉତ୍ତର ବୟସରେ ବିବାହ, ସାମାଜିକ ସ୍ବୀକୃତି ଏବଂ ସନ୍ତାନମାନଙ୍କ ଗ୍ରହଣୀୟତା ମଧ୍ୟରେ ସେତୁବନ୍ଧ ବାନ୍ଧିବା କ’ଣ ସହଜ କଥା ହୋଇଛି! କାରଣ ଉଦାରତା ଶବ୍ଦ କହିବା ସହଜ, କିନ୍ତୁ ପାଳନ କରିବା କଷ୍ଟକର ା ଏହା ହୁଏତ ଉଭୟ ପକ୍ଷ ସହମତିରେ ସମ୍ଭବ ହୋଇପାରେ ା
ଡ. ସୀତାକାନ୍ତ ତ୍ରିପାଠୀ
ତଳଗୋପବିନ୍ଧା, ଅର୍ଣ୍ଣପାଳ, ଭଦ୍ରକ
ମୋ: ୯୭୭୮୭୬୪୩୯୪