ଛତ୍ରପୁର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ପପୁ ପମପମଙ୍କ କମେଡି-ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

ଛତ୍ରପୁର, ୨।୫:(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ମହାଆଡମ୍ବରରେ ଚାଲିଛି ‘ଛତ୍ରପୁର ମହୋତ୍ସବ’। ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ବେଶ୍ ଜମକଦାର ହୋଇଥିଲା। ସୁପ୍ରସିଦ୍ଧ ହାସ୍ୟକଳାକାର ପପୁ ପମପମଙ୍କ ମନମତାଣିଆ କମେଡି ଏବଂ ପ୍ରସିଦ୍ଧ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ‘ରାଣୀ ଗୁରୀ’, ‘ଦିଲ୍ କି ରାଣୀ’, ‘ରସିଆ’ ଓ ‘ହଇ ଗୋ’ ଭଳି ହିଟ୍ ଗୀତରେ ହଜାର ହଜାର ଦର୍ଶକ ଓ ଶ୍ରୋତା ବିଭୋର ହୋଇ ଝୁମିଥିଲେ।

ସାନ୍ଧ୍ୟ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ଛତ୍ରପୁର ବ୍ଲକ ଉପାଧ୍ୟାକ୍ଷା ଏସ. ଶାରଦା ରେଡ୍ଡୀ, ପୌରପରିଷଦ ଉପାଧ୍ୟକ୍ଷ ଜି. ପାପା ରାଓ, ଗଞ୍ଜାମ ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକି, ୧୯ନଂ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ସୁନୀଲ କେରକେଟା, ବ୍ରହ୍ମପୁର ମହାନଗର ନିଗମର କମିଶନର ଅକବରମ ସସ୍ୟା ରେଡ୍ଡୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଏବଂ ଆଇଏଏସ୍ ପ୍ରୋବାସେନର ସୁଶ୍ରୀ ସରନ୍ୟାଙ୍କ ସମେତ ଅନେକ ଜନପ୍ରତିନିଧି ଅତିଥି ଭାବେ ଯୋଗ ଦେଇଥିଲେ।

ଅତିଥିମାନେ ମା’ ରାମାୟାଣାମ୍ମା ଓ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ମଙ୍ଗଳ କାମନା କରିବା ସହ ଜନସାଧାରଣଙ୍କୁ ମହୋତ୍ସବର ମଜା ନେବାକୁ ଅନୁରୋଧ କରିଥିଲେ। ବିଧାୟକ ଶ୍ରୀ ନାୟକ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଏହି ଅବସରରେ ବିଭିନ୍ନ ବ୍ଲକ ଓ ପୌର ପରିଷଦର ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ମା’ ବ୍ରାହ୍ମଣ ଦେବୀ ନାଟ୍ୟ, ଜାମୁଲାଇ, ଭଞ୍ଜନଗରର କଳାକାରଙ୍କ କୃଷ୍ଣଲୀଳା, ଉତ୍କଳିକା ନୃତ୍ୟ ଅନୁଷ୍ଠାନ, ବ୍ରହ୍ମପୁରର ଓଡ଼ିଶୀ, ଲକ୍ଷ୍ୟମଞ୍ଜରୀ କଳାକ୍ଷେତ୍ରର କୁଚିପୁଡ଼ି, ଡି.ଏସ୍. ଡାନ୍ସ ଏକାଡେମୀ, ଗଞ୍ଜାମର ଆଧୁନିକ ନୃତ୍ୟ, ଜେଡିସି ଆକ୍ଟିଂ ଷ୍ଟୁଡିଓ, ଛତ୍ରପୁରର ଲୋକନୃତ୍ୟ, ରୟାଲ ଡାନ୍ସ ଏକାଡେମୀର ଆଧୁନିକ ନୃତ୍ୟ ଏବଂ ଦି ପଲ୍ଲବୀ, କରଞ୍ଜିଆ, ମୟୂରଭଞ୍ଜର ମଲ୍ଲଖମ୍ବ ନୃତ୍ୟ ଦେଖଣାହାରୀଙ୍କୁ ବିମୋହିତ କରିଥିଲା।

ମହୋତ୍ସବ ପଡ଼ିଆରେ ମୋଟ ୧୫୦ଟି ଷ୍ଟଲ ଖୋଲାଯାଇଛି, ଯାହା ଗ୍ରାହକ ଓ ଚାଷୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ୨୪ଟି ଷ୍ଟଲରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଓ ଉଦ୍ୟୋଗୀ ମହିଳାମାନେ ସେମାନଙ୍କ ଉତ୍ପାଦ ବିକ୍ରି କରୁଛନ୍ତି। ଏମାନଙ୍କ ମଧ୍ୟରେ ୫୦ ଜଣ ‘ଲକ୍ଷପତି ଦିଦି’ ସାମିଲ ଅଛନ୍ତି।

୨୨ଟି ଷ୍ଟଲରେ ଆଧୁନିକ କୃଷି ଯନ୍ତ୍ରପାତି ଓ ଡ୍ରୋନର ପ୍ରଦର୍ଶନୀ ଚାଲିଛି। ଚାଷୀ ଓ ବୈଜ୍ଞାନିକଙ୍କ ମଧ୍ୟରେ ପାଠ୍ୟଚକ୍ର ମଧ୍ୟ ଆୟୋଜନ ହେଉଛି। ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ପ୍ରାଣୀ କଲ୍ୟାଣ ଯୋଜନାରେ ଗୋଶାଳାଗୁଡ଼ିକୁ ପାଖାପାଖି ୨.୨ କୋଟି ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସୁଭଦ୍ରା ଯୋଜନାରେ ୯ ଲକ୍ଷରୁ ଅଧିକ ହିତାଧିକାରୀ ମହିଳା ୧,୮୪୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ପାଇ ସାରିଛନ୍ତି, ଯାହାର ସଫଳ ଚିତ୍ର ମେଳାରେ ଦେଖିବାକୁ ମିଳୁଛି। ଓଡ଼ିଶାର ପାରମ୍ପରିକ ପିଠା, ପଣା ସହିତ ବାଲେଶ୍ୱରର ପ୍ରସିଦ୍ଧ ‘ପତ୍ରପୋଡ଼ା ମାଂସ’ ଏବଂ ବାରିପଦାର ‘ମୁଢ଼ିମାଂସ’ର ମଜା ନେଉଛନ୍ତି ଦର୍ଶକ।

ଆସନ୍ତା ସନ୍ଧ୍ୟାରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଏବଂ କୁଲଦୀପ ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଲୋକନୃତ୍ୟ ଓ ଆଧୁନିକ ନୃତ୍ୟ ପରିବେଷଣର କାର୍ଯ୍ୟକ୍ରମ ରହିଛି।

Dharitri – Odisha’s No.1 Odia Daily

Share