ନୂଆଦିଲ୍ଲୀ,୨୬।୨: ଭାରତୀୟ ପୁଞ୍ଜି ବଜାର ନିୟନ୍ତ୍ରକ ସେବି (SEBI) ମ୍ୟୁଚୁଆଲ ଫଣ୍ଡ ହାଉସ୍ଗୁଡ଼ିକୁ ପୂର୍ବ ଅପେକ୍ଷା ଅଧିକ ସ୍ବାଧୀନତା ପ୍ରଦାନ କରିଛନ୍ତି। ନିବେଶକଙ୍କ ବିପଦ (Risk) କମାଇବା ଏବଂ ରିଟର୍ଣ୍ଣ ବଢ଼ାଇବା ପାଇଁ ସେବି କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି।
୧. ସୁନା ଓ ରୁପାରେ ନିବେଶର ସୁଯୋଗ:
ଏବେ ପର୍ଯ୍ୟନ୍ତ ‘ଆକ୍ଟିଭ୍ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ’ଗୁଡ଼ିକ ଶେୟାର ବଜାର ବ୍ୟତୀତ ବଳକା ଟଙ୍କାକୁ କେବଳ କ୍ୟାଶ କିମ୍ବା ମନି ମାର୍କେଟରେ ରଖିପାରୁଥିଲେ। କିନ୍ତୁ ନୂଆ ନିୟମ ଅନୁଯାୟୀ, ଫଣ୍ଡ ମ୍ୟାନେଜରମାନେ ସେହି ଟଙ୍କାରେ ସୁନା (Gold) ଏବଂ ରୁପା (Silver) କିଣିପାରିବେ।
ଉଦାହରଣସ୍ବରୂପ ଯଦି ଏକ ଲାର୍ଜକ୍ୟାପ ଫଣ୍ଡ ୮୦% ଟଙ୍କା ବଡ଼ ଶେୟାରରେ ଲଗାଏ, ତେବେ ବାକି ୨୦% ଟଙ୍କା ସୁନା କିମ୍ବା ରୁପାରେ ନିବେଶ କରାଯାଇପାରିବ। ଏହାଦ୍ୱାରା ସେୟାର ବଜାର କମିଲେ ସୁନା-ରୁପାର ନିବେଶ ଆପଣଙ୍କ ପୋର୍ଟଫୋଲିଓକୁ ସୁରକ୍ଷିତ ରଖିବ।
୨. ଅବସର ଓ ପିଲାଙ୍କ ପାଇଁ ’ଲାଇଫ ସାଇକଲ ଫଣ୍ଡ’:
ସେବି ପୁରୁଣା ’ରିଟାୟରମେଣ୍ଟ’ ଏବଂ ’ଚିଲ୍ଡେନ ସଲ୍ୟୁସନ’ ଫଣ୍ଡକୁ ବନ୍ଦ କରି ତା’ ସ୍ଥାନରେ ‘ଲାଇଫ ସାଇକଲ ଫଣ୍ଡ’ (Life Cycle Funds) ଆରମ୍ଭ କରିଛନ୍ତି। ଆରମ୍ଭରେ ଆପଣଙ୍କ ଅଧିକ ଟଙ୍କା ଶେୟାରରେ ଲଗାଯିବ, କିନ୍ତୁ ବୟସ ବଢ଼ିବା ସହ ବା ମ୍ୟାଚୁରିଟି ସମୟ ପାଖେଇ ଆସିଲେ ଫଣ୍ଡ ମ୍ୟାନେଜର ନିଜେ ସେହି ଟଙ୍କାକୁ ସୁରକ୍ଷିତ ନିବେଶ (Debt କିମ୍ବା Gold) କୁ ସ୍ଥାନାନ୍ତର କରିଦେବେ। କେବଳ ସର୍ତ୍ତ ଏତିକି ଯେ ଶୀଘ୍ର ଟଙ୍କା ଉଠାଇଲେ ପ୍ରଥମ ବର୍ଷରେ ୩% ପର୍ଯ୍ୟନ୍ତ ଭାରି ’ଏଗ୍ଜିଟ ଲୋଡ’ ଦେବାକୁ ପଡ଼ିବ।
୩. ଫଣ୍ଡ ହାଉସ ପାଇଁ କଡ଼ା ନିୟମ:
ଭାଲ୍ୟୁ ଓ କଣ୍ଟ୍ରା ଫଣ୍ଡ:ଏବେ କମ୍ପାନୀଗୁଡ଼ିକ ଏହି ଦୁଇଟି ଯାକ ଫଣ୍ଡ ଏକାଠି ଆଣିପାରିବେ, କିନ୍ତୁ ଉଭୟଙ୍କ ଶେୟାର ତାଲିକାରେ ୫୦%ରୁ ଅଧିକ ସମାନତା ରହିବ ନାହିଁ।
ଥିମାଟିକ ଓ ସେକ୍ଟୋରାଲ ଫଣ୍ଡ: ନୂଆ ଥିମ ଥିବା ଫଣ୍ଡର ୫୦% ପୋର୍ଟଫୋଲିଓ କୌଣସି ପୁରୁଣା ସ୍କିମ ସହ ମିଶିବା ଉଚିତ ନୁହେଁ। ଏହାଦ୍ୱାରା ନିବେଶକଙ୍କୁ ପ୍ରକୃତରେ ‘ଅଲଗା’ ବିକଳ୍ପ ମିଳିବ।
ନିବେଶକଙ୍କୁ କିଭଳି ଲାଭ ମିଳିବ?
୧. ବିବିଧତା (Diversification):ଗୋଟିଏ ଫଣ୍ଡ ଜରିଆରେ ସେୟାର, ବଣ୍ଡ ଏବଂ ସୁନା-ରୁପାର ଫାଇଦା ମିଳିବ।
୨. ସୱୟଂଚାଳିତ ସୁରକ୍ଷା: ଲାଇଫ ସାଇକଲ ଫଣ୍ଡରେ ବିପଦ ପରିଚାଳନା ଆପେ ଆପେ ହେବ, ଯାହା ସାଧାରଣ ନିବେଶକଙ୍କ ପାଇଁ ବରଦାନ ସଦୃଶ।
୩. ଉନ୍ନତ ରିଟର୍ଣ୍ଣ: ସ୍କିମ୍ଗୁଡ଼ିକ ମଧ୍ୟରେ ସମାନତା କମିଲେ ନିବେଶକଙ୍କ ପାଖରେ ସଠିକ ବିକଳ୍ପ ବାଛିବା ପାଇଁ ସୁଯୋଗ ବଢ଼ିବ।
Ind Vs Zim LIVE Score: ୭୨ ରନ୍ରେ ଜିତିଲା ଟିମ୍ ଇଣ୍ଡିଆ, ସେମିଫାଇନାଲ ଖେଳିବା ହେଲା ନିଶ୍ଚିତ!

