ନିଖୋଜଙ୍କୁ ଖୋଜିବାରେ ନୈରାଶ୍ୟଜନକ ପ୍ରଦର୍ଶନ

ଭୁବନେଶ୍ୱର,୨।୧୦ (ବ୍ୟୁରୋ): ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ରାଜ୍ୟ ପୋଲିସ ଆରମ୍ଭ କରିଥିଲା ଅପରେଶନ ସ୍ମାଇଲ୍‌। ଏହାସତ୍ତ୍ୱେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପୋଲିସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସଦ୍ୟ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟ-୨୦୧୯ରୁ ଏହା ଜଣାପଡିଛି।
ଉକ୍ତ ରିପୋର୍ଟ ଅନୁଯାୟୀ, ୨୦୧୯ରେ ୧୫ ହଜାର ୩୧୭ଜଣ ବ୍ୟକ୍ତି ନିଖୋଜ ହୋଇଛନ୍ତି। ଏଥିରେ ୩ହଜାର ୩ଶହ ପୁରୁଷ ଏବଂ ୧୨ ହଜାର ୧୭ ମହିଳା ରହିଛନ୍ତି। ସେହିଭଳି ୨୦୧୮ରେ ୧୩ ହଜାର ୬୨ଜଣ ନିଖୋଜ ହୋଇଛନ୍ତି। ତେବେ ଓଡ଼ିଶା ପୋଲିସ ୨୦୧୯ରେ ୫ ହଜାର ୩୩୯ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବାବେଳେ ୨୦୧୮ରେ ୪୪୮୧ଜଣଙ୍କୁ ଉଦ୍ଧାର କରାଯାଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି। ଦୁଇବର୍ଷର ଉଦ୍ଧାର ହାରକୁ ଦୁଷ୍ଟିରେ ରଖିଲେ ପୂର୍ବବର୍ଷ ଅପେକ୍ଷା ଗତବର୍ଷ ଏହି ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି। କିନ୍ତୁ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ରାଜ୍ୟ ପୋଲିସ ୨୦୧୯ରେ ଖରାପ ପ୍ରଦର୍ଶନ କରିଥିବାବେଳେ କେବଳ ୧୯.୩ ପ୍ରତିଶତ ନିଖୋଜ ବ୍ୟକ୍ତିଙ୍କୁ ଖୋଜି ପାଇବାରେ ସଫଳ ହୋଇଛି। ଏକ୍ଷେତ୍ରରେ ଖରାପ ପ୍ରଦର୍ଶନ କରିଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ଦେଶର ଦ୍ୱିତୀୟ ସ୍ଥାନରେ ରହିଛି। ପଞ୍ଜାବ ପୋଲିସ ମାତ୍ର ୧୬.୭ ପ୍ରତିଶତ ନିଖୋଜଙ୍କୁ ଉଦ୍ଧାର କରି ସବୁଠାରୁ ଅଧିକ ଖରାପ ପ୍ରଦର୍ଶନ କରିଛି।
ଅନ୍ୟପକ୍ଷରେ ୧୮ ବର୍ଷରୁ କମ୍‌ ବୟସରେ ୫୫୦୩ ପିଲାଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ପୋଲିସକୁ ଦାୟିତ୍ୱ ଦିଆଯାଇଥିଲା। ଯେଉଁଥିରେ ପୂର୍ବ ବର୍ଷର ନିଖୋଜ ହୋଇଥିବା ୧୧୬୫ ନାବାଳକ ମଧ୍ୟ ରହିଛନ୍ତି। ସେମାନଙ୍କୁ ପୋଲିସ ପୂର୍ବ ବର୍ଷରୁ ଚିହ୍ନଟ କରିବାରେ ବିଫଳ ହୋଇଥିବା ଦର୍ଶାଯାଇଛି। ୨୦୧୮ରେ ୧୧୩୯ ନିଖୋଜ ଶିଶୁଙ୍କୁ ପୋଲିସ ଉଦ୍ଧାର କରିଥିଲା। ସେହିଭଳି ୨୦୧୯ରେ ୧୪୯୦ ଶିଶୁଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏଥିମଧ୍ୟରୁ ୩୧୪ ବାଳକ ଓ ୧୧୭୬ ବାଳିକା ରହିଛନ୍ତି। ପୂର୍ବବର୍ଷ ତୁଳନାରେ ଅଧିକ ସଂଖ୍ୟକ ପିଲା ଉଦ୍ଧାର ହୋଇଥିଲେ ମଧ୍ୟ ନାବାଳକ ଉଦ୍ଧାର ହାର ହ୍ରାସ ପାଇଛି। ୨୦୧୮ରେ ୩୨.୬ ପ୍ରତିଶତ ରହିଥିବାବେଳେ ୨୦୧୯ରେ ୨୭.୧କୁ ଖସି ଆସିଛି। ୨୦୧୯ରେ ପ୍ରତି ୧୦୦ ନିଖୋଜ ଶିଶୁଙ୍କ ମଧ୍ୟରୁ ପ୍ରାୟ ୨୭ ଜଣଙ୍କୁ ଖୋଜି ପାଇବାରେ ସଫଳ ହୋଇଛି ଓଡ଼ିଶା ପୋଲିସ। କିନ୍ତୁ ଏକ୍ଷେତ୍ରରେ କେରଳ ସବୁଠୁ ଆଗରେ ରହିଛି। କେରଳ ପୋଲିସ ୯୪ ପ୍ରତିଶତ ନିଖୋଜ ଶିଶୁଙ୍କୁ ଉଦ୍ଧାର କରି ପ୍ରଥମ ସ୍ଥାନରେ ରହିଥିବାବେଳେ ସିକିମ୍‌ ପୋଲିସ ୮୮ ପ୍ରତିଶିତ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।