ସିଲ୍‌ ହେଲା ୭ ମଦ ଦୋକାନ

ଭୁବନେଶ୍ୱର, ୩୦।୬ (ବ୍ୟୁରୋ):କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦୋକାନ ଖୋଲି ମଦ ବିକ୍ରି ଉପରେ ଅଙ୍କୁଶ ଲଗାଇଛନ୍ତି ସରକାର। କେବଳ ଅନ୍‌ଲାଇନ୍‌ରେ ମଦ ଯୋଗାଣକୁ ଅନୁମତି ରହିଛି। ହେଲେ ଲକ୍‌ଡାଉନ୍‌ ହେଉ କି ସପ୍ତାହାନ୍ତ ଶଟ୍‌ଡାଉନ୍‌, ସବୁ ସମୟରେ ରାଜଧାନୀରେ ମଦ କାଉଣ୍ଟରରୁ ମଦ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। କିଏ ପଛପାର୍ଶ୍ୱ ଗଳାବାଟରେ ତ ଆଉ କିଏ ଶଟର ତଳେ ବେପାର କରୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବାବେଳେ ବିଳମ୍ବରେ ପ୍ରଶାସନର ନିଦ ଭାଙ୍ଗିଛି। ଭୁବନେଶ୍ୱରରେ ସଂକ୍ରମଣ କମୁଥିବାବେଳେ ବ୍ୟବସାୟୀ ଓ ଗ୍ରାହକ ଦିନକୁ ଦିନ ଅମାନିଆ ହୋଇପଡୁଥିବାରୁ ବିଏମ୍‌ସି, ବିଡିଏ ଓ କମିଶନରେଟ ପୋଲିସ ସୋମବାରଠାରୁ ଚଢ଼ାଉକୁ ଜୋର୍‌ଦାର କରିଛି। ମଙ୍ଗଳବାର ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଓ ବିଡିଏ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢାଉ କରି ୭ ମଦ ଦୋକାନକୁ ସିଲ୍‌ କରିଛି। ଏଥିସହ ଦୋକାନୀଙ୍କଠାରୁ ୪୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ଡମଣା, କେୟାର ହସ୍ପିଟାଲ ସମ୍ମୁଖ, ଜୟଦେବ ବିହାର ଓ ଆଚାର୍ଯ୍ୟ ବିହାରରେ ଥିବା ୫ ମଦ ଦୋକାନକୁ ସିଲ୍‌ କରାଯାଇଛି। ସେହିପରି ବାପୁଜୀନଗରରେ ଥିବା ଏକ ମଦ ଦୋକାନରେ ବ୍ୟବସାୟ ଚାଲିଥିବାବେଳେ ତାହାକୁ ସିଲ୍‌ କରାଯାଇ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ବିଏମ୍‌ସିର ଦକ୍ଷିଣ ପୂର୍ବ ଜୋନ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଶହୀଦନଗରରେ ଥିବା ଏକ ମଦ ଦୋକାନକୁ ସିଲ୍‌ କରିବା ସହ ୨୦ହଜାର ଟଙ୍କା ଜରିମାନା ଆଦାୟ କରିଛି। ଏଥିସହ ସେଠାରେ ଥିବା ୭ଇଲେଭେନ୍‌ ବାର୍‌କୁ ମଧ୍ୟ ସିଲ କରାଯାଇ ୧୦ହଜାର ଟଙ୍କା ଜରିମାନା ନିଆଯାଇଛି।