ମହାକାଳପଡ଼ା,୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ପାଣିଖିଆ ଗ୍ରାମ ଦେବତୀ ଜାହେରୀ ପୀଠଠାରେ ବୁଧବାର ସମୁଦ୍ର ଉଚ୍ଚ ଜୁଆର ମାଡି ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଲୁଣି ପାଣି ପଶି ୧୦୦ ଏକର ଚାଷ ଜମି ଜଳମଗ୍ନ ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଏହି ଗାଁ ସମୁଦ୍ର କୂଳଠାରୁ ୧ କି.ମି. ଦୂର ଜଙ୍ଗଲ ମଧ୍ୟରେ ରହିଛି। ଅମାବାସ୍ୟା ତିଥି ପ୍ରଭାବରେ ସମୁଦ୍ର କୂଳ ଲଙ୍ଘି ଉଚ୍ଚ ଜୁଆର ମାଡ଼ି ଘାଇ ସୃଷ୍ଟି ହୋଇଛି। ଫଳରେ ଚଳିତ ଖରିଫ ଫସଲ ନଷ୍ଟ ହେବା ଆଶଙ୍କା ରହିଛି ବୋଲି ଗ୍ରାମର ଗୁରୁଭା ହାଁସଦା ଓ ସୁନା ମାରାଣ୍ଡି ପ୍ରମୁଖ କହିଛନ୍ତି। ଅପର ପକ୍ଷରେ ଏହି ଗାଁଟି ଘଞ୍ଚ ଜଙ୍ଗଲ ନିକଟରେ ଥିବାରୁ ବନ୍ୟପ୍ରାଣୀ ଭୟ ରହିଛି। ଚଳିତ ଖରିଫ ଋତୁରେ ଧାନଚାଷ କିପରି ହେବ ସାନ୍ତାଳୀମାନେ ଚିନ୍ତାରେ ପଡ଼ିଛନ୍ତି। ତୁରନ୍ତ ପ୍ରଶାସନ ପକ୍ଷରୁ ଏହି ଲୁଣାଘେରି ମରାମତି ସହ ଘାଇ ପୋତିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।