ନୟାଗଡ଼,୨୧ା୪(ଲୋକନାଥ ମିଶ୍ର): ମହିଳାଙ୍କୁ ଯୌନ ନିର୍ଯାତନା ଦେବା ମହଙ୍ଗା ପଡ଼ିଛି। ନୟାଗଡ଼ ଜିଲା ଖଣ୍ଡପଡ଼ା ସବ୍ଡିଭିଜନାଲ ପୋଲିସ ଅଫିସର (ଏସ୍ଡିପିଓ) ମଦନ ମୋହନ ପ୍ରଧାନଙ୍କ ମଙ୍ଗଳବାର ମୁଖ୍ୟାଳୟକୁ ବଦଳି ହୋଇଛି। ନୂଆ ଏସ୍ଡିପିଓ ନ ଆସିବା ପର୍ଯ୍ୟନ୍ତ ପୋଲିସ ମୁଖ୍ୟାଳୟର ଡିଏସ୍ପି ସୁଦୀପ୍ତ କୁମାର ସାହୁ ଏସ୍ଡିପିଓ ଭାବେ କାମ କରିବାକୁ ନିର୍ଦ୍ଦେଶ ରହିଛି।
ପ୍ରକାଶ ଯେ, ଖଣ୍ଡପଡ଼ା ଏସ୍ଡିପିଓଙ୍କ ନାଁରେ ଯୌନ ନିର୍ଯାତନା ଓ ଧମକ ଅଭିଯୋଗ ଆସିଥିଲା। ଏନେଇ ଜଣେ ମହିଳା ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍ ଆସି ଅଭିଯୋଗ କରିଥିଲେ। ଏସ୍ଡିପିଓ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବାର ଏକ ଅଡିଓ କ୍ଲିପ୍ ମଧ୍ୟ ମହିଳା ଜଣକ ପ୍ରଦାନ କରିଥିଲେ। ଉକ୍ତ ଅଡିଓରେ ଏସ୍ଡିପିଓ ଅଟୋରେ ଆସି ରାତିରେ ରହିବାକୁ କହୁଥିବା ଏବଂ ଶାରୀରିକ ସମ୍ପର୍କ ରଖିଲେ କିଛି ଅସୁବିଧା ହେବ କି ବୋଲି ପ୍ରଶ୍ନ କରୁଥିବା ଶୁଣିବାକୁ ମିଳିଥିଲା। ଡିଜିପି ଓ୍ବାଇ. ବି. ଖୁରାନିଆ ଅଭିଯୋଗକୁ ଗ୍ରହଣ କରିବା ସହ ଘଟଣାର ତଦନ୍ତ କରିବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ପରେ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସ୍ପି ସୁବାସ ଚନ୍ଦ୍ର ପଣ୍ଡା ତଦନ୍ତ କରିଥିଲେ। ଅନ୍ୟପକ୍ଷେ ଫତେଗଡ଼ ଥାନାରେ ୧୨୦/୨୬ରେ ମାମଲା ରୁଜୁ ଗତ ୨୦ରେ ହୋଇଥିଲା।
ଅଭିଯୋଗ ଅନୁସାରେ, ମହିଳା ଜଣକ ଏକ ମାମଲା ନେଇ ଫତେଗଡ଼ ଥାନାକୁ ଯାଇଥିଲେ। ଏସ୍ଡିପିଓ ଉକ୍ତ ମାମଲାର ତଦନ୍ତ କରୁଥିବା କହି ତାଙ୍କଠାରୁ ମୋବାଇଲ ନମ୍ବର ନେଇଥିଲେ। ମହିଳାଙ୍କ ସ୍ବାମୀ ବାହାରେ ଚାକିରି କରୁଥିବାରୁ ସେ ମାମଲା ସମ୍ପର୍କରେ ଏସ୍ଡିପିଓଙ୍କ କାର୍ଯ୍ୟାଳୟକୁ ଯାଉଥିଲେ। ହେଲେ ଏସ୍ଡିପିଓ ତଦନ୍ତ ନାଁରେ ବାରମ୍ବାର କାର୍ଯ୍ୟାଳୟକୁ ଡାକି ତାଙ୍କୁ ପ୍ରେମ ଜାଲରେ ଫସାଇବାକୁ ଚେଷ୍ଟା କରିବା ସହ ମାନସିକ ଚାପ ସୃଷ୍ଟି କରୁଥିବା ମହିଳା ଜଣକ ଅଭିଯୋଗରେ ରହିଥିଲା। ଏପରିକି ରାତି ୧୨ଟାରେ ଫୋନ୍ ଏବଂ ମେସେଜ କରି କଥା ହେବାକୁ ବାଧ୍ୟ କରିଥିଲେ। ଅଶ୍ଳୀଳ ଫଟୋ ମାଗିବା ସହ ଶାରୀରିକ ସମ୍ପର୍କ ରଖୁବାକୁ ଚାପ ପକାଇଥିଲେ। କଥା ନ ହେଲେ କିମ୍ବା ଶାରୀରିକ ସମ୍ପର୍କ ନ ରଖିଲେ ମିଛ ମାମଲାରେ ଫସାଇ ସ୍ବାମୀଙ୍କୁ ଗିରଫ କରିବାକୁ ଧମକ ଦେଇଥିଲେ। ତେବେ ମହିଳା ଏହାକୁ ବାରମ୍ବାର ବିରୋଧ କରିବା ସହ ଏଡ଼ାଇ ଯିବାକୁ ଚେଷ୍ଟା କରୁଥିଲେ ବି ଏସ୍ଡିପିଓ ତାଙ୍କ ପିଛା ଛାଡୁ ନ ଥିଲେ। ଏସ୍ଡିପିଓଙ୍କ ନିର୍ଯାତନା ଅସହ୍ୟ ହେବାରୁ ମହିଳା ଜଣକ ସ୍ବାମୀଙ୍କୁ ସବୁକଥା ଜଣାଇଥିଲେ। ପରେ ବାହାରେ ଚାକିରି କରୁଥିବା ସ୍ବାମୀ ଘରକୁ ଫେରି ପୂରା ଘଟଣା ଶୁଣିବା ପରେ ତାଙ୍କ ସହଯୋଗରେ ମହିଳା ଜଣକ ନ୍ୟାୟ ପାଇଁ ଡିଜିପିଙ୍କ ଦ୍ବାରସ୍ଥ ହୋଇଥିଲେ। ଠିକ୍ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୁକ୍ତ ଏସ୍ଡିପିଓଙ୍କୁ ବଦଳି କିମ୍ବା ନିଲମ୍ବିତ କରିବାକୁ ମହିଳା ଜଣକ ନିବେଦନ କରିଥିଲେ। ନ ହେଲେ ଡିଜିପି ଅଫିସ ଆଗରେ ଆତ୍ମାହୁତି ଦେବାକୁ ସେ ଧମକ ଦେଇଥିଲେ।