ଭଞ୍ଜନଗର, ୨୦।୬(ବାବୁଲା ପ୍ରଧାନ)- ପୋଲିସଙ୍କ ଭିତରେ ଥିବା ସମ୍ବେଦନଶୀଳ ମାନବିକତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ। ଡ୍ୟୁଟି ସାରି ଫେରିବା ବେଳେ ରାସ୍ତାକଡ଼ରେ ପଡ଼ିଥିବା ଜଣେ ଆହତ ଯୁବକଙ୍କ ପାଇଁ ଦେବଦୂତ ସାଜିଛନ୍ତି ସ୍ଥାନୀୟ ଏସଡିପିଓ ଡ. ଦୀପକ କୁମାର ମିଶ୍ର। ସେ ନିଜ ସରକାରୀ ଗାଡ଼ିରେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହ ତାଙ୍କ ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି।
ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଜଣେ ଯୁବକ କୌଣସି କାରଣବଶତଃ ଜଗନ୍ନାଥପ୍ରସାଦ କଲେଜ ଛକ ନିକଟରେ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିରହିଥିଲେ। ଠିକ୍ ସେହି ସମୟରେ ଭଞ୍ଜନଗର ଏସଡିପିଓ ଡ. ଦୀପକ କୁମାର ମିଶ୍ର ନିଜର ସରକାରୀ କାର୍ଯ୍ୟ ସାରି ସେହି ରାସ୍ତା ଦେଇ ଭଞ୍ଜନଗର ଫେରୁଥିଲେ। ରାସ୍ତାକଡ଼ରେ ଯୁବକ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଏସଡିପିଓ ତୁରନ୍ତ ନିଜ ଗାଡ଼ି ଅଟକାଇଥିଲେ।
ସେ ସାଧାରଣ ଲୋକଙ୍କ ଭଳି ପ୍ରଶାସନିକ ପ୍ରୋଟୋକଲକୁ ପଛରେ ପକାଇ ନିଜେ ଯୁବକଙ୍କୁ ଉଦ୍ଧାର କରିଥିଲେ ଏବଂ ବିଳମ୍ବ ନ କରି ନିଜ ସରକାରୀ ଗାଡ଼ିରେ ବସାଇ ଜଗନ୍ନାଥପ୍ରସାଦ ମେଡିକାଲକୁ ନେଇଥିଲେ। ସେଠାରେ ସେ ନିଜେ ଉପସ୍ଥିତ ରହି ଆହତଙ୍କ ଜରୁରୀକାଳୀନ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଇଥିଲେ।
ଚିକିତ୍ସା ବିଜ୍ଞାନ ଅନୁସାରେ, ଦୁର୍ଘଟଣା ବା ଗୁରୁତର ଆହତ ହେବାର ପ୍ରଥମ ଏକ ଘଣ୍ଟା ଜୀବନ ବଞ୍ଚାଇବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥାଏ। ଏସଡିପିଓ ଡ. ମିଶ୍ର ଠିକ୍ ସମୟରେ ଉପସ୍ଥିତ ବୁଦ୍ଧି ଖଟାଇ ଯୁବକଙ୍କୁ ମେଡିକାଲରେ ପହଞ୍ଚାଇଥିବାରୁ ତାଙ୍କର ମୂଲ୍ୟବାନ ଜୀବନ ବଞ୍ଚିଯାଇଛି। ଏସଡିପିଓଙ୍କ ଏଭଳି ସହାନୁଭୂତିପୂର୍ଣ୍ଣ ଏବଂ ଦାୟିତ୍ୱବାନ କାର୍ଯ୍ୟ ପାଇଁ ସ୍ଥାନୀୟ ଜନସାଧାରଣ ଏବଂ ବୁଦ୍ଧିଜୀବୀ ମହଲରେ ତାଙ୍କୁ ବେଶ୍ ପ୍ରଶଂସା କରାଯାଉଛି।