ସ୍କ୍ରବ୍ ଟାଇଫସ୍ ଏକ ସଂକ୍ରାମକ ରୋଗ ଓ ଏହା ରିକେଟ୍ସିଆ ଗ୍ରୁପ୍ର ଜୀବାଣୁ ଓରିଏନସିଆ ସୁସୁଗାମୁଷି ଜୀବାଣୁ ଦ୍ୱାରା ହୋଇଥାଏ। ଏହି ଜୀବାଣୁ ଜଉପୋକ, ଲୁଣିଆ ପୋକ ଓ ଚିଗରସ ହାର୍ଭେଷ୍ଟ ମାଇଟ୍ର ଛୋଟ ଲାର୍ଭା ଦ୍ୱାରା ସଂକ୍ରମଣ ଯୋଗୁ ହୋଇଥାଏ। ଏହି କୀଟ ସାଧାରଣତଃ ଓଦା ପଡିଆ, ଘାସଯୁକ୍ତ ସ୍ଥାନ ଓ ଆଦ୍ର ମୃର୍ତ୍ତିକାରେ ରହିଥାଏ। ଏମାନଙ୍କ ସଂସ୍ପର୍ଶରେ ଆସିଲେ ଏମାନଙ୍କର କାମୁଡା ଯୋଗୁ ଯେଉଁ ସ୍ଥାନରେ କାମୁଡି ଥାଆନ୍ତି ସେହିଠାରେ ଏକ କ୍ଷତ ପରବର୍ତ୍ତୀ ସମୟରେ କଳା ରଙ୍ଗର ଘାଆର ରୂପ(ଏସ୍ଚାର) ନିଏ। ସାଧାରଣତଃ ଏହି ପୋକ କାମୁଡ଼ିବାର ଏକ ସପ୍ତାହ ପରେ ଏହା ବାହାରିଥାଏ ଓ ଜ୍ୱର ୭ରୁ ୧୦ଦିନ ମଧ୍ୟରେ ହୋଇ ଦେହ ସାରା ନାଲି ପଡ଼ିଯାଏ। ଜ୍ୱର ସହିତ ମୁଣ୍ଡବ୍ୟଥା, ଦେହ ଦରଜ, ଦୁର୍ବଳତା ଓ କାଶ ହୋଇଥାଏ। ଜ୍ୱର କମ୍ ପରିମାଣର ହୋଇଥିଲେ ତାହା ଆପେ ଆପେ ଦୁଇ ସପ୍ତାହ ମଧ୍ୟରେ କମିଯାଏ। ମାତ୍ର ଗୁରୁତର ହେଲେ ଏହା ଅନ୍ୟାନ୍ୟ ସଂକ୍ରମଣ ଯଥା- ନିମୋନିଆ, ହାର୍ଟ ଫେଲ୍ୟୁଅର, କିଡ୍ନୀ ଫେଲ୍ୟୁୟର ଆଦି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।
ଏହି ରୋଗ ଏବେ ଆମ ରାଜ୍ୟର କେତେକ ସ୍ଥାନରେ ନିର୍ଣ୍ଣୟ କରାଯାଇଛି। ମାତ୍ର ଏହା ସେପରି ଗୁରୁତର ନୁହେଁ। ଏହା ଭାରତ ବ୍ୟତୀତ ଏହାର ପଡ଼ୋଶୀ ଦେଶଗୁଡ଼ିକରେ ମଧ୍ୟ ଦେଖାଯାଇଥାଏ। ଯଦି ପାଖରେ କାହାଠାରେ ଏହି ରୋଗ ନିର୍ଣ୍ଣୟ ହୋଇଛି ତାହାହେଲେ ଆଉ କାହାକୁ ଏହା ହେବାର ଆଶଙ୍କା ରହିଛି। ଏହାର ପରୀକ୍ଷା ମଧ୍ୟ ବ୍ୟୟସାପେକ୍ଷ। ସ୍କ୍ରବ୍ ଟାଇଫସ୍ ଏଲିସା/ପିସିଆର ପରୀକ୍ଷା ସବୁଠାରେ ହୋଇପାରେ ନାହିଁ। ମାତ୍ର ଏହାର କୀଟ କାମୁଡିଥିବା ସ୍ଥାନରେ କଳା ରଙ୍ଗର ଘାଆରୁ ମଧ୍ୟ ଜାଣିହେବ।
ସ୍କ୍ରବ୍ ଟାଇଫସ୍ ଚିକିତ୍ସା ଅତ୍ୟନ୍ତ ସହଜସାଧ୍ୟ ଏବଂ ଔଷଧର ଦାମ୍ ମଧ୍ୟ ବହୁତ କମ୍। ଏହି ରୋଗ ବିଷୟରେ ଜାଣିବା ପରେ ଚିକିତ୍ସା କରୁଥିବା ଡାକ୍ତର ସେଥିରୁ ଆରୋଗ୍ୟ ଲାଭ କରିବା ପାଇଁ ଔଷଧ ଲେଖିଥାଆନ୍ତି। ଏହାସହିତ ଜଳଶୁଷ୍କତା ପାଇଁ ଓଆରଏସ/ସାଲାଇନ୍ ଦିଆଯାଏ। ଜ୍ୱର ହୋଇଥିଲେ ଶରୀରରୁ ତାପମାତ୍ରା କମିବା ପାଇଁ ଶରୀରକୁ ସାଧାରଣ ପାଣିରେ ପୋଛନ୍ତୁ। ପାଣି ପଟି ପକାଇପାରନ୍ତି। ଏଥିପାଇଁ ଡାକ୍ତର ମଧ୍ୟ କେତେକ ଔଷଧ ଖାଇବାକୁ ପ୍ରେସକ୍ରିପଶନରେ ଉଲ୍ଲେଖ କରିଥାଆନ୍ତି।
ସାଧାରଣତଃ ରିକେଟସିଆଲ ଜନିତ ରୋଗ ଦୁଇ ପ୍ରକାରର-(୧) ଚିହ୍ନଯୁକ୍ତ ଜ୍ୱର (ସ୍ପଟେଡ ଫିଭର) ଏବଂ (୨) ଟାଇଫସ୍ ଜ୍ୱର। ସ୍ପଟେଡ୍ ଜ୍ୱରଗୁଡ଼ିକ ମଧ୍ୟରେ ରକିପର୍ବତ ସ୍ପଟେଡ ଜ୍ୱର, ବ୍ୟୁଟୋନ୍ୟୁସ୍ ଜ୍ୱର, ସାଇବେରିଆ କୀଟ ଜ୍ୱର, ଅଷ୍ଟ୍ରେଲିଆ କୀଟ ଜ୍ୱର, ଓରିଏଣ୍ଟାଲ ସ୍ପଟେଡ ଜ୍ୱର ଓ ଆଫ୍ରିକା କୀଟ କାମୁଡା ଜ୍ୱର ଅନ୍ତର୍ଭୁକ୍ତ। ସେହିପରି ଟାଇଫସ ଶ୍ରେଣୀରେ ସ୍କବ୍ ଟାଇଫସ ସହିତ ମହାମାରୀ ଟାଇଫସ୍ ଓ ସାରାବର୍ଷ ହେଉଥିବା ଏଣ୍ଡେମିକ୍ ଟାଇଫସ୍ ଅନ୍ତର୍ଭୁକ୍ତ।
ମହାମାରୀ ଟାଇଫସ ମଣିଷ ମୁଣ୍ଡ ଓ ଦେହରେ ଥିବା ଉକୁଣିର ମଳ ଦ୍ୱାରା ବ୍ୟାପିଥାଏ। ନଖରେ ମୁଣ୍ଡ କୁଣ୍ଡାଇବା ଦ୍ୱାରା ଏହା ସହଜରେ ଶରୀରରେ ପ୍ରବେଶ କରେ। ଯୁଦ୍ଧ ବନ୍ଦୀ, ଗୋଟିଏ ସ୍ଥାନରେ ରହୁଥିବା ଅତ୍ୟଧିକ ବ୍ୟକ୍ତି, କାରାଗାର ଏବଂ ହଷ୍ଟେଲରେ, ଶରଣାର୍ଥୀ ଶିବିରରେ ଏବଂ ବିସ୍ଥାପିତମାନଙ୍କ କ୍ଷେତ୍ରରେ ଏହା ହୁଏ।
ସେହିପରି ଏଣ୍ଡେମିକ୍ ଟାଇଫସ୍ ଜୋକ (ଫ୍ଲି) ଦ୍ୱାରା ହୋଇଥାଏ। ଜୋକର ମଳ କିମ୍ବା ମାଂସ ମଣିଷ ଶରୀରର ସ୍ପଂଶର୍ଷରେ ଆସିଲେ ଏବଂ ଯଦି ଜୋକ ଆଗରୁ ସଂକ୍ରମିତର ମାଂସ ଖାଇଥାଏ ତାହାହେଲେ ଏହା ବ୍ୟାପିଥାଏ। ଏଥିପାଇଁ ସୁରକ୍ଷିତ ରହିବାକୁ ହେଲେ ଘର ଚାରିପଟ ସଫାସୁତର ରଖନ୍ତୁ। ଘାସ ଥିଲେ ତାହାକୁ ତୁରନ୍ତ ସଫା କରନ୍ତୁ। ଚାଷ ଜମି, ବଗିଚା, ଜଙ୍ଗଲିଆ ଜାଗାକୁ ଗଲେ ଜୋତା, ଫୁଲ ପ୍ୟାଣ୍ଟ, ଫୁଲ ଶାର୍ଟ ଏବଂ ଦରକାର ପଡିଲେ ଇନ୍ସେକ୍ଟ ରିପେଲାଣ୍ଟ ବ୍ୟବହାର କରିବା ଉଚିତ। ବାହାରୁ ଆସିଲେ ଭଲ ଭାବରେ ଧୁଆଧୋଇ ହୋଇପଡନ୍ତୁ।
ଡା. ରାମଚନ୍ଦ୍ର ରାଉତ
-ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ : ୮୨୪୯୦୮୭୯୯୫

