ସ୍କ୍ରବ୍‌ ଟାଇଫସ୍‌ ସତର୍କତା

ଡା. ପ୍ରଫୁଲ୍ଲ କୁମାର ଦାସ

ରାଜ୍ୟରେ ଏବେ ଡେଙ୍ଗୁ ବ୍ୟାପୁଥିବା ବେଳେ ଆଉ ଏକ ରୋଗ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ବଢ଼ିଛି। ଏହା ଚିଗର୍ସ ନାମକ ଏକ କୀଟ କାମୁଡ଼ିଲେ ହେଉଛି। ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି। ଏହି ରୋଗର ଲକ୍ଷଣ ହେଉଛି ଜ୍ୱର ଲାଗି ରହିବା, ମୁଣ୍ଡ ବିନ୍ଧା ହେବା। ଏଥିସହ ରୋଗୀର ମୃତ୍ୟୁ ଘଟିବାର ମଧ୍ୟ ସମ୍ଭାବନା ରହିଛି। ଶରୀରର ଯେଉଁ ସ୍ଥାନକୁ ଏହି କୀଟଟି କାମୁଡ଼େ ସେଠାରେ ସ୍କିନ ଡେଡ୍‌ ହୋଇଯାଏ। ଏହାର ପରୀକ୍ଷା ସବୁ ଜିଲା ହସ୍ପିଟାଲର ଡିଷ୍ଟ୍ରିକ୍ଟ ପବ୍ଲିକ ହେଲ୍‌ଥ ଲାବରେଟୋରିରେ ଏଲିଶା ପଦ୍ଧତିରେ କରାଯାଉଛି। ଚିହ୍ନଟ ହେଲେ ଚିକିତ୍ସା ସହଜ। ସାଧାରଣ ଆଣ୍ଟିବାୟୋଟିକ କାମ ଦେବ। ସାଧାରଣତଃ ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ୍‌ ଟାଇଫସ୍‌ ସଂକ୍ରମଣ ଦେଖିବାକୁ ମିଳିଥାଏ। ସ୍ଥଳ ବିଶେଷରେ ଡିସେମ୍ବର ପର୍ଯ୍ୟନ୍ତ ମାଡ଼ିଥାଏ। ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ୱାରା ଲୋକଙ୍କ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଥାଏ। ସର୍ବସାଧାରଣ ପୋଖରୀ, ବିଲ, ଜଙ୍ଗଲକୁ ଯାଉଥିବା ଲୋକ ଏଥିରେ ଆକ୍ରାନ୍ତ ହୋଇଥାନ୍ତି। ପୂର୍ବରୁ ଓଡ଼ିଶାରେ ସ୍କ୍ରବ୍‌ ଟାଇଫସ୍‌ ଦେଖିବାକୁ ମିଳୁ ନ ଥିବାବେଳେ ବିଗତ କିଛିବର୍ଷ ହେବ ଏଥିରେ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଛନ୍ତି। କେବଳ ଯେ ଗ୍ରାମାଞ୍ଚଳରେ ଏହି ସଂକ୍ରମଣ ହେଉଛି ତା’ ନୁହେଁ, ବରଂ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ସଂକ୍ରମଣ ହେଉଛି।
ସ୍କ୍ରବ ଟାଇଫସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ତୀବ୍ର ଜ୍ୱର ସାଙ୍ଗକୁ ତଳିପେଟରେ ଯନ୍ତ୍ରଣା, ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଦେଇଥାଏ। ଯେଉଁ ସ୍ଥାନକୁ ଏହି କୀଟ କାମୁଡ଼ିଥାଏ ସେହି ସ୍ଥାନର ଚର୍ମ ମୃତ ହୋଇଯାଏ; ଯାହାକୁ ଏଷ୍ଟର ଭାବେ ବିବେଚନା କରାଯାଉଛି। ୨୦୨୨ ମସିହାରେ ଜର୍ନାଲ ଅଫ ଆପ୍ଲାଏଡ୍‌ ବାୟୋଲୋଜି ଓ ବାୟୋଟେକ୍‌ନୋଲୋଜିରେ ଓଡ଼ିଶା ସମେତ ଦେଶରେ ହୋଇଥିବା ସ୍କ୍ରବ୍‌ ଟାଇଫସ୍‌ ସମ୍ପର୍କିତ ଏକ ସନ୍ଦର୍ଭ ପ୍ରକାଶ ପାଇଥିଲା। ୨୦୧୪ ମସିହାରେ ହଠାତ୍‌ ରାଜ୍ୟରେ ବହୁ ସଂଖ୍ୟାରେ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ୨୦୧୧-୨୦୨୦ ମସିହା ମଧ୍ୟରେ ଓଡ଼ିଶାରେ କେବଳ ୭୯୮ ଜଣ ଆକ୍ରାନ୍ତ ବାହାରିଛନ୍ତି। ଦେଶରେ ସ୍କ୍ରବ୍‌ ଟାଇଫସ୍‌ରେ ଭିନ୍ନ ଭିନ୍ନ ବର୍ଷରେ ହୋଇଥିବା ମୃତ୍ୟୁରେ ରାଜସ୍ଥାନ ଶୀର୍ଷରେ ରହୁଥିବା ବେଳେ ଓଡ଼ିଶା ଦ୍ୱିତୀୟ ଓ ତାମିଲନାଡୁ ତୃତୀୟ ସ୍ଥାନରେ ରହିଛି। ମାତ୍ର ନିୟମିତଭାବେ ଉତ୍ତର-ପୂର୍ବ ଭାରତର ରାଜ୍ୟଗୁଡ଼ିକ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁରେ ଶୀର୍ଷରେ ରହିଥିବା ଗବେଷକମାନେ ଦର୍ଶାଇଛନ୍ତି। ତେବେ ସ୍କ୍ରବ୍‌ ଟାଇଫସ୍‌ରେ ହୋଇଥିବା ମୃତ୍ୟୁ ପଛର ପ୍ରମୁଖ କାରଣ ରହିଛି ରୋଗକୁ ବିଳମ୍ବରେ ଚିହ୍ନଟ, ଭୁଲ୍‌ ଡାଏଗ୍ନୋସିସ୍‌ ଓ ଡ୍ରଗ ରେଜିଷ୍ଟାନ୍‌ସ। ଏହାସହ ଅନେକ ରୋଗୀଙ୍କଠାରେ ମୃତ ଚର୍ମ ବା ଏଷ୍ଟର ଦେଖିବାକୁ ନ ମିଳିବା ମଧ୍ୟ ରୋଗର ବିଳମ୍ବିତ ଚିହ୍ନଟରର ଅନ୍ୟତମ କାରଣ। ଡକ୍ସିସାଇକ୍ଲିନ ଓ ଆଜିଥ୍ରୋମାଇସିନ ଦ୍ୱାରା ଏହା ଭଲ ହୋଇପାରିବ। ଓଡ଼ିଶାରେ ସ୍କ୍ରବ ଟାଇଫସ୍‌କୁ ନେଇ ବିଶେଷ ତଥ୍ୟ ନ ଥିବାରୁ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି କିଛିଦିନ ତଳେ ଏକ ତିନି ଜଣିଆ ଡାକ୍ତରଙ୍କ ସ୍ବାସ୍ଥ୍ୟ ସମୀକ୍ଷାଜନିତ ଗବେଷଣାତ୍ମକ ତଥ୍ୟ ପ୍ରକାଶ ପାଇଥିଲା।
ରାଜ୍ୟରେ ଏବେ ପ୍ରତିଦିନ ୨୦୦ରୁ ୨୫୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଡେଙ୍ଗୁ ବଂଶବିସ୍ତାର ପାଇଁ ବର୍ତ୍ତମାନ ପାଣିପାଗ ଅନୁକୂଳ ରହିଛି। ବର୍ଷା ନ ଛାଡ଼ିବା ଯାଏ ରୋଗ କମିବ ନାହିଁ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୮,୬୧୦ ଜଣଙ୍କ ଡେଙ୍ଗୁ ଟେଷ୍ଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୫୯୭ ଜଣ ପଜିଟିଭ ବାହାରିଛନ୍ତି। ଜୁଲାଇରୁ ଅକ୍ଟୋବର ଡେଙ୍ଗୁର ପିକ୍‌ ପିରିୟଡ୍‌। ଏଣୁ ସଚେତନ ହିଁ ଏକମାତ୍ର ମାଧ୍ୟମ। ସାମାନ୍ୟ ଚିକିତ୍ସାରେ ୯୮% ଲୋକ ଡେଙ୍ଗୁରୁ ଭଲ ହୋଇପାରିବେ। ତେଣୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ପ୍ଲେଟଲେଟ କମିବା ନେଇ ଅଧିକ ବ୍ୟସ୍ତ ହୁଅନ୍ତୁ ନାହିଁ। ପ୍ଲେଟଲେଟ କାଉଣ୍ଟ ୨୦ ହଜାର ପର୍ଯ୍ୟନ୍ତ କମିଲେ ବି ବ୍ୟସ୍ତ ନ ହୋଇ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ବର୍ତ୍ତମାନ ବର୍ଷାଦିନ ଚାଲିଥିବାରୁ ନିଜେ ସ୍ବାସ୍ଥ୍ୟ ସତର୍କତା ଅବଲମ୍ବନ କରନ୍ତୁ। ବାହାରକୁ ଯାଉଥିଲେ ବର୍ଷାରେ ତିନ୍ତିବାଠାରୁ ଦୂରେଇ ରହିବା ନେଇ ସତର୍କ ରୁହନ୍ତୁ। ସିଝା ପାଣି ପିଅନ୍ତୁ, ଗରମ ଖାଦ୍ୟ ଓ ସୁଷମ ଖାଦ୍ୟ ଖାଆନ୍ତୁ। ଆମିଷ ନ ଖାଇଲେ ଭଲ। ମଦ୍ୟପାନ ବା କୌଣସି ପ୍ରକାର ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରହିବା ବାଞ୍ଛନୀୟ। ଫାଷ୍ଟଫୁଡ ଖାଦ୍ୟ, ବାହାର ଖାଦ୍ୟ, ଥଣ୍ଡାଜାତୀୟ ଖାଦ୍ୟ ବା ପାନୀୟ ନ ଖାଇବା ଭଲ। ଫ୍ରିଜ୍‌ରେ କୌଣସି ବାସି ଖାଦ୍ୟ ରଖି ପରଦିନ ଏହାକୁ ଗରମ କରି ଖାଆନ୍ତୁ ନାହିଁ। ଯଥାସମ୍ଭବ ନିଜ ଘର ବିଶେଷକରି ଶୋଇବା ଘର ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଘର ଭିତରକୁ ଯେପରି ବିଶୁଦ୍ଧ ପବନ ଓ ଖରାର ଆଲୋକ ପଡ଼ୁଥିବ ସେ ଦିଗକୁ ଦେଖନ୍ତୁ। ଘରେ କୌଣସି ଅଦରକାରୀ ଜିନିଷ ରଖନ୍ତୁ ନାହିଁ, ରାତିରେ ମଶାରି ଟାଙ୍ଗି ଶୁଅନ୍ତୁ। ଯୋଗ ପ୍ରାଣାୟାମ ଅଭ୍ୟାସ ଥିଲେ ସତର୍କତା ଅବଲମ୍ବନ କରି ଏହାକୁ ପାଳନ କରନ୍ତୁ। କିନ୍ତୁ ସାମାନ୍ୟ ବର୍ଷାରେ ମଧ୍ୟ ତିନ୍ତି ମର୍ନିଂୱାକ୍‌ କରନ୍ତୁ ନାହିଁ। ଶରୀରରେ ଜ୍ୱର ଲାଗି ରହୁଥିଲେ ସରକାରୀ ସ୍ବାସ୍ଥ୍ୟସେବାର ସହାୟତା ନିଅନ୍ତୁ କିମ୍ବା ଡାକ୍ତରୀଙ୍କ ପରାମର୍ଶ ନିଅନ୍ତୁ। ତୁଟୁକା ତୁଟୁକି ଚିକିତ୍ସା ବା ଦେଶୀୟ ଚିକିତ୍ସା ଗ୍ରହଣ କରନ୍ତୁ ନାହିଁ। ଅଧିକ ଦିନ ଜ୍ୱର ଲାଗିରହିଲେ ରକ୍ତ ପରୀକ୍ଷା କରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏତେ ଭୟଭୀତ ହେବାର କୌଣସି କାରଣ ନାହିଁ। ପ୍ରାଥମିକ ସ୍ବାସ୍ଥ୍ୟ ସତର୍କତା ଓ ଡାକ୍ତରୀ ପରାମର୍ଶରେ ଚିକିତ୍ସା ଗ୍ରହଣ କଲେ ଆପଣ ଆରୋଗ୍ୟ ଲାଭ କରିବେ।
କନ୍‌ସଲଟାଣ୍ଟ ରେଡିଓଲୋଜିଷ୍ଟ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
ମୋ:୯୪୩୭୦୨୩୪୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri