ବଲାଙ୍ଗୀର,୧୬।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର –ସୋନପୁର ୫୭ ନମ୍ବର ଜାତୀୟ ରାଜପଥରେ ଗଞ୍ଜେଇ ଭର୍ତ୍ତି ଏକ ସ୍କୋର୍ପିଓ (ନଂ ସିଜି ୦୪ କ୍ୟୁଡି ୪୩୮୫)କୁ ପୁଇଁନ୍ତଲା ଥାନା ପୋଲିସ ବୁଧବାର ଜବତ କରିଛି । ଉକ୍ତ ଗାଡିରୁ ୩.୬ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି କୁହାଯାଇଛି ।
ବୌଦ୍ଧ –ସୋନପୁର ଅଞ୍ଚଳରୁ ଛତିଶଗଡ ଚାଲାଣ ହେଉଥିବା ଏହି ଗାଡିକୁ ତରଭା ପୋଲିସ ପିଛା କରୁଥିଲା। ତେବେ ତରଭା ପୋଲିସକୁ ଚକମା ଦେଇ ଏହା ବଲାଙ୍ଗୀର ସହର ଅଭିମୁଖେ ଆସୁଥିଲା। ଖବର ପାଇ ପୁଇଁନ୍ତଲା ଥାନା ପୋଲିସ ଉକ୍ତ ଗାଡିକୁ ପିଛା କରିଥିଲା। ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥର ପୁଇଁନ୍ତଲା ଗିରିଗୋବର୍ଦ୍ଧନ ମନ୍ଦିର ବାଇପାସ୍ ନିକଟ ରାସ୍ତା କଡରେ ଗଞ୍ଜାଇ ଭର୍ତି ଗାଡ଼ିକୁ ଛାଡ଼ି ଗଂଜେଇ ଚୋରାଚାଲାଣକାରୀ ମାଫିଆମାନେ ଫେରାର ମାରିଥିଲେ। ଉକ୍ତ ଗାଡିରେ ଦୁଇଜଣ ବ୍ୟକ୍ତି ଥିଲେ । ସେମାନେ ଗାଡି ଛାଡି ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ ଗୁରୁବାର ବଲାଙ୍ଗୀର ସଦର ଏସ୍ ଡିପି ଓ ସରୋଜ କୁମାର ଉପାଧ୍ୟାୟ ବଲାଙ୍ଗୀର ଟାଉନ୍ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।