ଶିଶୁ ସାହିତ୍ୟରେ ବିଜ୍ଞାନ

ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ଆମ ଜୀବନଶୈଳୀକୁ ପ୍ରଭାବିତ କରେ। ବିଜ୍ଞାନର ପ୍ରୟୋଗ ସଭ୍ୟତା, ସାମାଜିକ ଚଳଣି ଓ ସଂସ୍କୃତିକୁ ପରିବର୍ତ୍ତନ କରେ। ଜୀବନ ସହିତ ସାହିତ୍ୟର ସମ୍ପର୍କ ନିବିଡ଼। ସାହିତ୍ୟ ଆମ ସଭ୍ୟତା ଓ ସଂସ୍କୃତିର ବ୍ୟାଖ୍ୟା କରେ। ସାହିତ୍ୟ ସହିତ ବିଜ୍ଞାନ ବି ଜଡ଼ିତ। ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ସାହିତି୍ୟକର ଚିନ୍ତାଧାରାକୁ ପରିପକ୍ୱ ଓ ବାସ୍ତବଧର୍ମୀ କରେ। ନୂତନ ସ୍ବାଦର ସାହିତ୍ୟ ସୃଷ୍ଟି ଦିଗରେ ବିଜ୍ଞାନ ସହାୟତା କରେ ା ବିଜ୍ଞାନ ଯୁଗରେ ବିଜ୍ଞାନକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ପ୍ରତ୍ୟେକ ବ୍ୟକ୍ତିର ବୈଜ୍ଞାନିକ ମାନସିକତା ଓ ଦୃଷ୍ଟିକୋଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ା ଯେଉଁ କଥା ଜୀବନସାରା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ଛୋଟବେଳୁ ସେହି ବିଷୟରେ ଜାଣିବା ଜରୁରୀ। କାରଣ ଶିଶୁ ଓ କିଶୋର ଅବସ୍ଥାର ଜୀବନଶୈଳୀ ମଣିଷର ପରବର୍ତ୍ତୀ ପର୍ଯ୍ୟାୟକୁ ବିଶେଷ ପ୍ରଭାବିତ କରେ ା ତେଣୁ ଶୈଶବକାଳରୁ ବିଜ୍ଞାନ ପ୍ରତି ଆକର୍ଷଣ ହିଁ ଭବିଷ୍ୟତରେ ବ୍ୟକ୍ତି ହୃଦୟରେ ବୈଜ୍ଞାନିକ ଚିନ୍ତାଧାରା ସୃଷ୍ଟି କରିବା ଦିଗରେ ବିଶେଷ ସହାୟକ ହେବ। ସେହି ପରିପ୍ରେକ୍ଷୀରେ ଏବେ ପିଲାଙ୍କୁ ବିଜ୍ଞାନମନସ୍କ କରାଯାଉଛି। ଶିଶୁ ଓ କିଶୋରଙ୍କ ପ୍ରକାଶିତ ପତ୍ରପତ୍ରିକାରେ ବିଜ୍ଞାନ ଲେଖା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଶିଶୁର ମନକୁ ବୈଜ୍ଞାନିକ ଚିନ୍ତାଧାରା ସହିତ ସାମିଲ କରିବା ଦିଗରେ ପ୍ରୟାସ ଜାରି ରହିଛି।
ଶିଶୁର ସରଳ ମାନସିକତା ପରିସର ଭିତରକୁ ବିଜ୍ଞାନକୁ ସହଜରେ ଅଣାଯାଇପାରିବ। ପଦାର୍ଥର ଅସାଧାରଣ ଧର୍ମ ଓ ବସ୍ତୁର ଅଦ୍ଭୁତ ବ୍ୟବହାର ଦ୍ୱାରା ଶିଶୁ ଆକର୍ଷିତ ହୁଏ। ବିଜ୍ଞାନର ଯାଦୁ ଓ ଚମତ୍କାରିତା ତାକୁ ଖୁସି ଦେଇପାରେ। ଶିଶୁର ହୃଦୟକୁ ପୁଲକିତ କରୁଥିବା ଖେଳନାର ମନଲୋଭା ରଙ୍ଗ, ଘର ଭିତରେ ଶବ୍ଦ କରି ଚାଲୁଥିବା ଗାଡ଼ି ଓ ନାଚୁଥିବା କଣ୍ଢେଇ ଭିତରେ ବିଜ୍ଞାନର ପ୍ରୟୋଗ ରହିଛି ା ଟିଭି ଓ ମୋବାଇଲ ପରଦାରେ ଶିଶୁ ଖୋଜୁଥିବା ଟମ୍‌ ବିଲେଇ, ଜେରୀ ମୂଷା, ଜୟ ହନୁମାନ, ବଳୁଆ ଭୀମ ଓ ମହାକାଶକୁ ଯାତ୍ରା କରୁଥିବା ରକେଟ୍‌ ଭିତରେ ବିଜ୍ଞାନ ହିଁ ବିଜ୍ଞାନ ରହିଛି ା ଏସବୁ ଆଜି ଶିଶୁର ପ୍ରଥମ ପସନ୍ଦ ା ସେତିକି ନୁହେଁ, ଶିଶୁଟିଏ ମାଆ ପେଟରେ ରହିବା ଦିନରୁ ଆରମ୍ଭ କରି ଜନ୍ମ ପରେ ଶିଶୁର ସ୍ବାସ୍ଥ୍ୟ ଓ ଖାଦ୍ୟ ପାନୀୟରେ ମଧ୍ୟ ବିଜ୍ଞାନ ଓ ବୈଜ୍ଞାନିକ ଗବେଷଣାର ଭୂମିକା ରହିଛି। ବିଜ୍ଞାନର ପ୍ରୟୋଗ ଶିଶୁକୁ ଆନନ୍ଦ ଦିଏ। ଏଭଳି ଏକ ଅନୁକୂଳ ପରିସ୍ଥିତିରେ ଶିଶୁ ମନ ଭିତରେ ବିଜ୍ଞାନ ପ୍ରତି ଆକର୍ଷଣ ସୃଷ୍ଟି କରାଯାଇ ପାରିବ। ଶିଶୁଟିଏ ବିଜ୍ଞାନର ପ୍ରୟୋଗକୁ ଉପଭୋଗ କରିବା ସହିତ ତା’ର ସରଳ ମନକୁ ଆକର୍ଷିତ କରୁଥିବା ଏସବୁ ପରୀଘଟଣା ପଛରେ ରହିଥିବା ବିଜ୍ଞାନ ପ୍ରତି ଆଗ୍ରହ ରହିବା ଜରୁରୀ। ଏହି ଦିଗରେ ଶିଶୁର ଆଗ୍ରହ ସୃଷ୍ଟି କରିବା ପାଇଁ ତତ୍‌ ସମ୍ପର୍କିତ ବିଜ୍ଞାନର ସରଳ ଉପସ୍ଥାପନା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଶିଶୁ ସାହିତ୍ୟରେ ସରଳ ବିଜ୍ଞାନ ଲେଖା ଓ ବ୍ୟାଖ୍ୟାର ଆବଶ୍ୟକତା ରହିଛି ା ଶିଶୁ ସାହିତ୍ୟରେ ବିଜ୍ଞାନ ଲେଖା ଶିଶୁ କିଶୋରଙ୍କୁ ଯୁଗୋପଯୋଗୀ କରାଯାଇପାରିବ ଓ ସେମାନଙ୍କୁ କୁସଂସ୍କାରଠାରୁ ଦୂରରେ ରଖାଯାଇପାରିବ।
ବିଜ୍ଞାନ କଠିନ ନୁହେଁ। ବିଜ୍ଞାନକୁ ବୁଝାଉଥିବା ବ୍ୟକ୍ତିର ଶବ୍ଦ ଓ ବ୍ୟାଖ୍ୟା କଠିନ ହୋଇପାରେ ା ଶିଶୁ ମନ ପାଇଁ ଆବଶ୍ୟକ ସରଳ ବିଜ୍ଞାନ ା ଶିଶୁ ଉପଯୋଗୀ ବିଜ୍ଞାନଲେଖାରେ ବୈଜ୍ଞାନିକ ତଥ୍ୟ ଉପରେ ଗୁରୁତ୍ୱ ଦିଆଯାଏ ନାହିଁ ା ବରଂ ଶିଶୁମନକୁ ଛୁଇଁଲା ଭଳି ସରଳ ତୁଳନା ମାଧ୍ୟମରେ ଧାରଣା ଦିଆଯାଏ ା ଅତି ଜଟିଳ ବିଷୟକୁ ନେଇ ଜଟିଳ ଶବ୍ଦ ବ୍ୟବହାର କରି ପ୍ରସ୍ତୁତ ଲେଖା ଶିଶୁ ପକ୍ଷରେ ବୁଝିବା କଷ୍ଟକର ା ସରଳ ବିଜ୍ଞାନକଥାକୁ ନେଇ ସହଜ ଶବ୍ଦରେ ଲିଖିତ ସଂକ୍ଷିପ୍ତ ଲେଖା ଶିଶୁର ବୋଧଗମ୍ୟ ହେବ ା ଶିଶୁଟିଏ ସହଜ ବିଜ୍ଞାନଲେଖାରୁ ବିଜ୍ଞାନ ପ୍ରତି ଆକର୍ଷିତ ହେବ ଏବଂ ଧୀରେ ଧୀରେ ସେ ସରଳରୁ ଜଟିଳ ବିଷୟ ଜାଣିବା ଦିଗରେ ମନ ବଳେଇବ ା ପ୍ରକୃତିରେ ଘଟୁଥିବା ସମସ୍ତ ଘଟଣା ବିଷୟରେ ଶିଶୁ ଅବଗତ ନଥାଏ, ଅଥବା ସମସ୍ତ ଘଟଣା ପ୍ରତି ତା’ର ଆଗ୍ରହ ନଥାଏ ା ତେଣୁ ଶିଶୁ ସାହିତ୍ୟରେ ଶିଶୁ ମନଲାଖି ଘଟଣାର ବ୍ୟାଖ୍ୟା ଆବଶ୍ୟକ ା ଜହ୍ନର ରୁପା ମୁହଁ, ତାରାର ମିଟିମିଟି ଆଖି, ଗଛର ରଙ୍ଗଭରା ଫୁଲ, ଚଢ଼େଇର ଚିଁ ଚିଁ ସ୍ବର, ବର୍ଷାଦିନର କୁଆପଥର ଅଥବା ରଙ୍ଗ ବଦଳୁଥିବା ଏଣ୍ଡୁଅ ପରି ବିଷୟରେ ଶିଶୁର ଅଳ୍ପବହୁତ ଆଗ୍ରହ ଥାଏ। ସେଭଳି ପରୀଘଟଣାର ସରଳ ବୈଜ୍ଞାନିକ ଉପସ୍ଥାପନ ନିଃସନ୍ଦେହ ଶିଶୁମନକୁ ଆଗ୍ରହୀ କରିବ।
ମା’ର ଗୀତ ଓ ଜେଜେମା’ର ଗପ ଶିଶୁକୁ ଆନନ୍ଦ ଦିଏ ା ବିଜ୍ଞାନ ଲେଖାଗୁଡ଼ିକ ଗପ ଓ ଗୀତ ମାଧ୍ୟମରେ ସରଳ ଭାଷାରେ ଲେଖା ହେଲେ ତାହା ଆଦୃତ ହୋଇପାରିବ ା ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଲେଖାରେ ପ୍ରକୃତ ଜଟିଳ ବୈଜ୍ଞାନିକ ଶବ୍ଦ ନ ରହି ଶିଶୁମାନେ ପରିଚିତ ଶବ୍ଦ ରହିବା ଦରକାର। ନହେଲେ ସେ ଲେଖାଟିକୁ ବୁଝିପାରିବ ନାହିଁ। ଶବ୍ଦ ଅପେକ୍ଷା ଛବିର ଅଧିକ ଗୁରୁତ୍ୱ ରହିବ। ଗୋଟିଏ ଛବି ହଜାରେ ଶବ୍ଦ ସହିତ ସମାନ। ଛବି ମାଧ୍ୟମରେ ବିଜ୍ଞାନଲେଖା ଶିଶୁମନକୁ ଅଧିକ ପ୍ରଭାବିତ କରିବ ା ବିଜ୍ଞାନଲେଖାରେ ଅଳ୍ପ ପାଠ ସହିତ ଅଧିକ ଛବି ଓ ବ୍ୟଙ୍ଗଛବି ରହିଲେ ଅଧିକ ଗ୍ରହଣୀୟ ହେବ ା ଛବି ଦ୍ୱାରା ଆକର୍ଷିତ ଶିଶୁମନ ଛବି ପଛରେ ଲୁଚି ରହିଥିବା ବିଜ୍ଞାନକୁ ବୁଝିବା ସକାଶେ ଇଚ୍ଛା କରିବ ା ଅତଏବ, ଶିଶୁ ସାହିତ୍ୟରେ ଛବି ସମ୍ବଳିତ ସରଳ ବିଜ୍ଞାନ ଲେଖାର ଆବଶ୍ୟକତା ରହିଛି।
ସାହିତ୍ୟ ସହିତ ଶିଶୁର ସମ୍ପର୍କ ତା’ର ଆଚରଣ ଓ ଉଚ୍ଚାରଣକୁ ମାର୍ଜିତ କରେ। ତା’ ସହିତ ଆଜିର ଶିଶୁ ବିଜ୍ଞାନମନସ୍କ ହେବା ଦରକାର। ଶିଶୁ ସାହିତ୍ୟରେ ବିଜ୍ଞାନର ଉପସ୍ଥିତି ଏହି ଦିଗରେ ସହାୟତା କରିବ। କିନ୍ତୁ ଏହାର ଅର୍ଥ ନୁହଁ ଯେ, ବିଜ୍ଞାନର ସମସ୍ତ ଜଟିଳ ତତ୍ତ୍ୱକୁ ଶିଶୁମୁଣ୍ଡରେ ପୂରେଇଦେବା ଓ ତାକୁ ଉଚ୍ଚତର ଗବେଷଣା କରିବା ପାଇଁ ଶୈଶବ ଅବସ୍ଥାରୁ ଯୋଗ୍ୟ କରିଦେବା। ତେଣୁ ଶିଶୁଙ୍କ ପାଇଁ ବିଜ୍ଞାନପାଠ ଲେଖିବା ସମୟରେ ଲେଖକ ନିଜର ସମସ୍ତ ଜ୍ଞାନକୁ ଗୋଟିଏ ଲେଖାରେ ଭରିଦେବା ଜରୁରୀ ନୁହେଁ ା ସମୁଦାୟ ସମୁଦ୍ର ଜଳକୁ ଗୋଟିଏ କଳସୀ ଭିତରେ ପୂରେଇବାର ଅପଚେଷ୍ଟା ନ କରି ଗୋଟିଏ ଜଳବିନ୍ଦୁ ଭିତରେ ଲୁଚିଥିବା ବିଜ୍ଞାନର ସରଳ ଉପସ୍ଥାପନା ଆବଶ୍ୟକ ା ଜଳବିନ୍ଦୁ ବିଷୟରେ କିଛି କଥା ଜାଣିଥିବା ଶିଶୁ ଭବିଷ୍ୟତରେ ସମୁଦ୍ର ବିଷୟରେ ସବିଶେଷ ଜାଣିବା ଦିଗରେ ନିଜେ ମନ ବଳେଇବ ା ଶିଶୁ ବିଜ୍ଞାନଲେଖାର ଅସଲ ଉଦ୍ଦେଶ୍ୟ ହେଉଛି ମନରେ ବିଜ୍ଞାନ ପ୍ରତି ଆଗ୍ରହ ଓ ବୈଜ୍ଞାନିକ ଚେତନା ସୃଷ୍ଟି କରିବା। ମନରୁ ବିଜ୍ଞାନର ଭୟ ଦୂର କରିବା ଏବଂ ହୃଦୟରେ ବୈଜ୍ଞାନିକ ଜ୍ଞାନକୌଶଳର ହାଲୁକା ଛବି ଆଙ୍କିବା ା

ଡ. କମଳାକାନ୍ତ ଜେନା
– ଓ.ଇ.ଏସ୍‌. (ପଦାର୍ଥ ବିଜ୍ଞାନ),
ପରୀକ୍ଷା ନିୟନ୍ତ୍ରକ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର
ମୋ: ୯୪୩୯୫୦୧୬୫୧