ବଲାଙ୍ଗୀରରେ ବିଜ୍ଞାନ କେନ୍ଦ୍ର, ପ୍ଲାନେଟାରିୟମ

ଭୁବନେଶ୍ୱର,୨୪ା୯(ବ୍ୟୁରୋ): ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ ପ୍ରତିଷ୍ଠା ହେବ। ଆସନ୍ତା ୩୦ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ଗୁରୁବାର ବଲାଙ୍ଗୀରରେ ନିର୍ମାଣ ସ୍ଥଳ ପରିଦର୍ଶନ କରି ବିଜ୍ଞାନ ଓ କାରିଗରି, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ଘୋଷଣା କରିଛନ୍ତି।
ବଲାଙ୍ଗୀର ପୌରାଞ୍ଚଳ ଅନ୍ତର୍ଗତ ତାଲପାଲି ମୌଜାର ସୂର୍ଯ୍ୟନଗରଠାରେ ଏହି ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ କାର୍ଯ୍ୟ କରିବ। ପ୍ରାୟ ୧୦ ଏକରରୁ ଊର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ନିର୍ମିତ ହେବାକୁ ଥିବା ଏହି ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ ନିମନ୍ତେ ୨୧.୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରି ବିଭାଗ ପକ୍ଷରୁ ହେବାକୁ ଥିବା ଏହି କେନ୍ଦ୍ର ପରିସରସ୍ଥ ଏକ ପାର୍କରେ ବିଜ୍ଞାନ ସଞ୍ଚଳିତ ବିଭିନ୍ନ ନମୁନା ଓ ପ୍ରଦର୍ଶନ ସାମଗ୍ରୀ ରହିବ ବୋଲି ମନ୍ତ୍ରୀ କହିଛନ୍ତି। ପିଲାମାନଙ୍କ ନିମନ୍ତେ ବିଜ୍ଞାନ କୌତୁକ ପ୍ରସଙ୍ଗ ସମେତ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ପ୍ରାଣୀ ବିଜ୍ଞାନ ବିଷୟ ସମ୍ପର୍କିତ ମତ ବିନିମୟ ନିମନ୍ତେ ବ୍ୟବସ୍ଥା କରାଯିବ। ଅନୁରୂପ ଭାବରେ ପ୍ଲାନେଟାରିୟମରେ ଛାତ୍ରୀଛାତ୍ର ତଥା ଜନସାଧାରଣଙ୍କ ସକାଶେ ମହାକାଶ ଅଭିଯାନ, ବିଶ୍ୱବ୍ରହ୍ମାଣ୍ଡ ଏବଂ ବିବର୍ତ୍ତନ ଇତ୍ୟାଦି ନେଇ ବିଭିନ୍ନ ପ୍ରଦର୍ଶନ ବ୍ୟବସ୍ଥା ରହିବ ବୋଲି ମନ୍ତ୍ରୀ କହିଛନ୍ତି। ବିଜ୍ଞାନ ଓ କାରିଗରି ବିଭାଗର ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ।
ପୂର୍ବରୁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ପଣ୍ଡା ୮ ଜଣ ଭିନ୍ନକ୍ଷମ ଦମ୍ପତିଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏ ବିବାହ ପ୍ରୋତ୍ସାହନ ସହାୟତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା, ଜିଲା ସାମାଜିକ ସୁରକ୍ଷା ଅଧିତ୍କାରୀ ନବକୃଷ୍ଣ ସାହୁ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରଶ୍ମିରଞ୍ଜନ ସାହୁଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।