ବନ୍ୟାରେ ଗଞ୍ଜାମର ୪୯୮ ସ୍କୁଲ୍‌ କ୍ଷତିଗ୍ରସ୍ତ, ଏହି ତାରିଖ ଯାଏ ବଢ଼ିଲା ଛୁଟି

ଛତ୍ରପୁର,୪ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାର ୪୯୮ଟି ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି । ଜିଲାର ମୋଟ ୩୦୯୮ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୪୯୮ଟି ବିଦ୍ୟାଳୟର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ଏଥିମଧ୍ୟରେ ୧୦୩୨ଟି ଶ୍ରେଣୀଗୃହ ଓ ୨୧୫ଟି ବିଦ୍ୟାଳୟର ପାଚେରି କ୍ଷତିଗ୍ରସ୍ତ ହୋଇଛି।
ଅନ୍ୟପକ୍ଷରେ ବନ୍ୟା ପରବର୍ତ୍ତୀ ସଫେଇ, ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ଜାରି ରହିଥିବାରୁ ଗଞ୍ଜାମ ଜିଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଏନେଇ ଜିଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି। ବନ୍ୟାରେ କ୍ଷତିଗ୍ରସ୍ତ ବିଦ୍ୟାଳୟଗୁଡ଼ିକର କ୍ଷୟକ୍ଷତି ଆକଳନ ସହ ଆବଶ୍ୟକ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ସମୟସୀମା ମଧ୍ୟରେ ଶେଷ କରିବା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ।

 

Dharitri – Odisha’s No.1 Odia Daily

Share