ସୋନପୁର,୧୭।୬(ମୃତ୍ୟୁଞ୍ଜୟ ଶତପଥୀ): ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ଓ କଲେଜ ଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜିଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସହ କଲେଜଗୁଡ଼ିକ ୨୦ ଜୁନ ପର୍ଯ୍ୟନ୍ତ ବନ୍ଦ ରହିବ।
କେବଳ ଶିକ୍ଷାନୁଷ୍ଠାନ ନୁହେଁ, ଜିଲାର ସମସ୍ତ ଅଙ୍ଗନଓ୍ୱାଡ଼ି କେନ୍ଦ୍ରକୁ ମଧ୍ୟ ୨୦ ଜୁନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତାପମାତ୍ରାରେ ଲଗାତାର ବୃଦ୍ଧି ଓ ହିଟ୍ ୱେଭ୍ ପରିସ୍ଥିତିକୁ ନେଇ ଶିଶୁ ଓ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ସୁବର୍ଣ୍ଣପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ଗରମ ଓ ହିଟ୍ ୱେଭ୍ ଜାରି ରହିଛି। ଏଭଳି ପରିସ୍ଥିତିରେ ସ୍କୁଲ ଓ ଅଙ୍ଗନବାଡ଼ି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଛୁଟି ଅବଧି ବଢ଼ାଇବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି।ପରିସ୍ଥିତିର ସମୀକ୍ଷା ପରେ ପରବର୍ତ୍ତୀ ସମୟରେ ସ୍କୁଲ ଓ କଲେଜ ଖୋଲିବା ନେଇ ନୂଆ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।