ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ ଫେରିବା କୋମଳମତି ଛାତ୍ରୀଛାତ୍ରଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ୁଛି। ଏଭଳି ସ୍ଥିତିରେ ସ୍କୁଲ କଲେଜ ଛୁଟି ଘୋଷଣା କରିବାକୁ ଦାବି ହେଉଛି। ତେବେ ପଡ଼ୋଶୀ ଜିଲାଗୁଡ଼ିକରେ ସ୍କୁଲ, କଲେଜ ଛୁଟି ଘୋଷଣା ହୋଇଥିଲେ ସୁଦ୍ଧା ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇ ନାହିଁ।

ଅପରପକ୍ଷେ ବରଗଡ଼ କଲେଜରେ ସ୍କୁଲ, କଲେଜ ଛୁଟି ନେଇ ଏକ ନକଲି ଚିଠି ସୋସିଆଲ ମିଡିଆରେ ଘୂରି ବୁଲୁଛି। ଉକ୍ତ ଚିଠିଟି କିଏ ଭାଇରାଲ କରିଛନ୍ତି, ତାହା ଜଣାପଡ଼ି ନାହିଁ। କିନ୍ତୁ ଚିଠିକୁ ନେଇ ଜିଲାର ଅନେକ ଅଭିଭାବକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ତେବେ ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କୁ ପଚାରିବାରୁ ସେହି ଚିଠି ନକଲି ଅଟେ ଏବଂ ଏପର୍ଯ୍ୟନ୍ତ ସେଭଳି କିଛି ଛୁଟି ଘୋଷଣା ହୋଇ ନ ଥିବା କହିଥିଲେ। ତେବେ ପଡ଼ୋଶୀ ଜିଲା ଭଳି ବରଗଡ଼ ଜିଲାରେ ମଧ୍ୟ ସ୍କୁଲ, କଲେଜ ଛୁଟି ହୋଇଥିବାବେଳେ ଏପର୍ଯ୍ୟନ୍ତ ବରଗଡ଼ ଜିଲାରେ ସେଭଳି ନିଷ୍ପତ୍ତି ନିଆଯାଇ ନ ଥିବା ଯୋଗୁ ସୋସିଆଲ ମିଡିଆରେ ଲୋକେ ବରଗଡ଼ ଜିଲା ପ୍ରଶାସନକୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି।

Dharitri –Odisha’s No.1 Trusted Odia Daily