କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଥିବା ଜଣାପଡ଼ିଛି।
ବର୍ତ୍ତମାନ ଏହି ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ପ୍ରଭାବ ପକାଉଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ରହିଛି। କେନ୍ଦୁଝର ଜିଲାପାଳ ଲଘୁଚାପ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ସହିତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ଛୁଟି ଘୋଷଣା କରିଛନ୍ତି। ଏପରିକି ଯୋଡ଼ା ବ୍ଲକ୍ରେ ହେବାକୁ ଥିବା ଅଭିଯୋଗ ଶୁଣାଣି ମଧ୍ୟ ସ୍ଥଗିତ କରାଯାଇଛି।